୩ଟି ଛୁଆ ଜନ୍ମ କରିଥିଲା ବାଘୁଣୀ; ୨ଟି ମରିଯିବାରୁ ଖାଇଦେଲା

ଡେରାଡୁନ୍‌: ପେଟରେ ଫାଶଟିଏ ବାନ୍ଧି ହୋଇଯାଇଥିଲେ ବି ‘କର୍ବେଟ୍‌ ଟାଇଗର୍‌ ରିଜର୍ଭ’ର ଉଦ୍ଧାର କେନ୍ଦ୍ରରେ ଗୋଟାଏ ବାଘୁଣୀ ୩ଟି ଛୁଆ ଜନ୍ମ କରିଥିଲା। କିନ୍ତୁ, ସେଥିରୁ ୨ଟି ଛୁଆ ମରିଯିବାରୁ ମାଆ ବାଘୁଣୀ ମଲାଛୁଆ ଦୁଇଟାଙ୍କୁ ଖାଇଦେଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।ବାଘୁଣୀ ଓ ତା’ର ଛୁଆମାନଙ୍କର ଅବସ୍ଥା ଦେଖିବା ଲାଗି ଜୁଲାଇ ୧୯ ତାରିଖ ଦିନ ୩ଜଣିଆ ସଦସ୍ୟବିଶିଷ୍ଟ ବିଶେଷଜ୍ଞ କମିଟି ‘କର୍ବେଟ୍‌ ଟାଇଗର୍‌ ରିଜର୍ଭ’ର ଧେଲାସ୍ଥିତ ଉଦ୍ଧାର କେନ୍ଦ୍ର ଗସ୍ତ କରିଥିଲେ। ସେମାନେ ଦେଖିଲେ ବାଘୁଣୀର ସ୍ବାସ୍ଥ୍ୟ ଭଲ ଅଛି। କିନ୍ତୁ, ଗୋଟିଏ ଛୁଆ ମରିଯାଇଛି। ତହିଁ ଆର ଦିନ ଆଉ ଗୋଟିଏ ଛୁଆ ଅସୁସ୍ଥ ହୋଇପଡ଼ିଲା। ସମସ୍ତ ଉଦ୍ୟମ ସତ୍ତ୍ବେ ତାକୁ ବଞ୍ଚାଯାଇ ପାରିଲା ନାହିଁ। ବୋଧହୁଏ ରାତିରେ ତା’ର ମୃତ୍ୟୁ ଘଟିଲା। କିନ୍ତୁ, ସକାଳେ ମଲା ବାଘଛୁଆ ଦୁଇଟାଙ୍କୁ ଆଣିବାକୁ ଗଲାରୁ ସେମାନେ ମିଳିଲେ ନାହିଁ। ବାଘୁଣୀ ସେ ଦୁଇଟାଙ୍କୁ ଖାଇ ଦେଇଥିଲା।

ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ପ୍ରେସ୍‌ ବିବୃତିରେ ଉଲ୍ଲେଖ ଅଛି ଯେ, ବାଘମାନଙ୍କ ପରି ମାଂସଭୋଜୀଙ୍କ ମଧ୍ୟରେ ସ୍ବଜାତି ମାଂସଭକ୍ଷଣ ବିଚିତ୍ର କଥା ନୁହେଁ। କେବେ କେମିତି ଏଭଳି ଘଟଣା ଘଟିଥାଏ। ସେଭଳି ପ୍ରବୃତ୍ତିରେ ଆସି ବାଘୁଣୀ ନିଜ ଜନ୍ମକଲା ଛୁଆ ଦୁଇଟାଙ୍କୁ ଖାଇ ଦେଇଛି।

Spread the love