ଟିକା ନେଉନଥିବା ଲୋକେ ସାବଧାନ ! ଆଉ ମିଳିବନି ପେଟ୍ରୋଲ-ଗ୍ୟାସ୍‌-ରାସନ

ମୁମ୍ବାଇ ୧୦/୧୧: ଭାରତରେ ୧୦୦ କୋଟିରୁ ଅଧିକ ଟିକାକରଣ ହୋଇଥିବା ବେଳେ ଅନେକ ଲୋକ ଏବେ ବି ଟିକା ନେବାକୁ ଭୟ କରୁଛନ୍ତି।  ସେମାନଙ୍କୁ ଟିକା ଦେବା ପାଇଁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିବା କୁହାଯାଉଛି । ଏଣିକି ଟିକା ନନେଲେ ପେଟ୍ରୋଲ ଏବଂ ରାସନ ମିଳିବନି । କରେନା ମହାମାରୀ ସମୟରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା। ରାଜ୍ୟ​‌ରେ ଟିକାକରଣ ଜୋରଦାର ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ସଚେତନତା ଅଭିଯାନ ଚାଲିଛି। ଏହାରି ଭିତରେ ଔରଙ୍ଗାବାଦ ପ୍ରଶାସନ ବଡ଼ ଘୋଷଣା କରିଛି।

ଏହା ଦ୍ବାରା, ଯେଉଁମାନେ କରୋନା ଭ୍ୟାକସିନର ଗୋଟିଏ ବି ଡୋଜ୍‌ ନେଇ ନାହାନ୍ତି ସେମାନଙ୍କୁ ପେଟ୍ରୋଲ୍‌, ଗ୍ୟାସ୍‌ ଏବଂ ରାସନ ମିଳିପାରିବ ନାହିଁ। ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶାନାମା ଅନୁସାରେ, ଟିକା ନେଇନଥିବା ଲୋକଙ୍କୁ ଜିଲ୍ଲାର ପର୍ଯ୍ୟଟନ ସ୍ଥଳରେ ପ୍ରବେଶ ମଧ୍ୟ ମିଳିବ ନାହିଁ। ଏପରିକି ସେମାନଙ୍କ ଯାତ୍ରା ଉପରେ ପ୍ରତିବନ୍ଧ ଲଗାଇଦିଆଯାଇଛି ।

ନଭେମ୍ବର ୨୦ ସୁଦ୍ଧା ରାଜ୍ୟରେ ଶତପ୍ରତିଶତ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଔରଙ୍ଗାବାଦ ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଏହା ଦ୍ବାରା ଟିକାକରଣର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଜିଲ୍ଲାର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ରିସୋର୍ଟ, ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଟିକା ନେବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶ ନଭେମ୍ବର ୯ ତାରିଖରୁ କାର୍ଯ୍ୟକାରୀ ହୋଇଛି।

ରାଜ୍ୟରେ ଟିକାକରଣ ମାମଲାରେ ଔରଙ୍ଗାବାଦ ୨୬ ତମ ସ୍ଥାନରେ ରହିଛି। ଜିଲ୍ଲାରେ ଟିକାକରଣ ଧିମା ଗତିରେ ଚାଲିଥିବା ବେଳେ ନିକଟରେ ପ୍ରଧାନମନ୍ତ୍ରୀ ଟିକାକରଣ ଜୋରଦାର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ମହାରାଷ୍ଟ୍ରରେ ୭୪ ପ୍ରତିଶତ ଲୋକ ଭ୍ୟାକସିନ୍ ନେଇଥିବା ବେଳେ ଔରଙ୍ଗାବଦାରେ କେବଳ ୫୫ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ୨୩ ପ୍ରତିଶତ ଲୋକ ଦୁଇଟି ଡୋଜ୍‌ ନେଇଥିବା ଜଣାପଡ଼ିଛି ।

Spread the love