ଥାନାରେ ଟିକ୍‌ଟକ୍‌ ଭିଡିଓ ରେକର୍ଡ କରି ମହିଳା ପୁଲିସ ନିଲମ୍ୱିତ

ଗାନ୍ଧୀନଗର: ଟିକ୍‌ଟକ୍‌ ଭିଡିଓ ପ୍ରତି ଭାରତୀୟ ଯୁବପିଢ଼ିଙ୍କ ଆଦର ଦିନକୁଦିନ ବଢ଼ିବା‌େର ଲାଗିଛି। ଏହା ଯେମିତି ଏକ ନିଶାରେ ପରିଣତ ହୋଇଗଲାଣି। ଏମିତି କି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ ଚାକିରି କରି ସୁଦ୍ଧା ନିଜ ଦାୟିତ୍ୱବୋଧକୁ ଭୁଲି କିଛି ଯୁବ ବର୍ଗର ଲୋକ ଟିକ୍‌ଟକ୍‌ ଭିଡିଓ ରେକର୍ଡ କରି ବିବାଦୀୟ ହୋଇପଡ଼ୁଛନ୍ତି।

ଏକ ସଦ୍ୟତମ ଘଟଣାକ୍ରମେ ଗୁଜରାଟର ଜଣେ ମହିଳା ପୁଲିସ ଥାନା‌େର ଟିକ୍‌ଟକ୍‌ ଭିଡିଓ ତିଆରି କରି ବିବାଦୀୟ ହୋଇପଡ଼ିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ୱନ କରାଯାଇଛି। ଏକ ବଲିଉଡ୍‌ ଗୀତରେ ସେ ନୃତ୍ୟ କରି ଏହି ଟିକ୍‌ଟକ୍‌ ଭିଡିଓ ରେକର୍ଡ କରିଥିଲେ।

ଏହି ସର୍ଟ ଭିଡିଓ କ୍ଲିପ୍‌ରେ ଲୋକ ରକ୍ଷକ ଦଳ (ଏଲ୍‌ଆର୍‌ଡି)ର ମହିଳା ପୁଲିସ ଅର୍ପିତା ଚୌଧରୀ ରାଜ୍ୟର ମେହସା‌ନା ଜିଲ୍ଲା ଅଧୀନ ଲଙ୍ଘନାଜ ଥାନା‌ ଭିତରେ ନାଚୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛି। ଡିଏସ୍‌ପି ମଞ୍ଜିତା ଭଞ୍ଜାରା କହିଛନ୍ତି, ଅର୍ପିତା ନିୟମ ଉଲ୍ଲଂଘନ କରିଛନ୍ତି। କର୍ତ୍ତବ୍ୟରେ ଥିଲା ବେଳେ ସେ ପୁଲିସ ୟୁନିଫର୍ମ ପିନ୍ଧିନଥିଲେ।

ଦ୍ୱିତୀୟତଃ ଲଙ୍ଘନାଜ ଗ୍ରାମୀଣ ଥାନା ଭିତରେ ହିଁ ସେ ନୃତ୍ୟ କରି ଭିଡିଓ ବନାଇଛନ୍ତି। ପୁଲିସ କର୍ମୀମାନେ ଶୃଙ୍ଖଳା ବଜାୟ ରଖିବା ନିହାତି ଜରୁରି। କିନ୍ତୁ ଏ ସବୁଥିରେ ଅର୍ପିତା ବିଫଳ ହୋଇଛନ୍ତି। ତେଣୁ ତାଙ୍କୁ ନିଲମ୍ୱନ କରାଯାଇଛି। ଜୁଲାଇ ୨୦ରେ ରେକର୍ଡ କରାଯାଇଥିବା ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଦେଶବ୍ୟାପୀ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Spread the love