ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ: କିମ୍‌ସ ଡାକ୍ତର

ଭୁବନେଶ୍ୱର: ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ଗର୍ଭାଶୟ କର୍କଟ ଦ୍ୱିତୀୟ ସର୍ବାଧିକ । ସମୟ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିଲେ ଏହାର ନିରାକରଣ ସମ୍ଭବ ବୋଲି କିମ୍‌ସ-ଭୁବନେଶ୍ୱରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ପ୍ରଫେସର (ଡା.) ସୁଧାଂଶୁ କୁମାର ରଥ କହିଛନ୍ତି । ଏହାର ଏଚ୍‌.ପି.ଭି ଟିକା ଉପଲବ୍ଧ । ଏହି ଭୟଙ୍କର ରୋଗରୁ ରକ୍ଷା ପାଇବାକୁ ହେଲେ ସହବାସ ପୂର୍ବରୁ ଟିକା ନେବା ଜରୁରୀ ଅଟେ । ଏହି ଟିକା ୯-୧୦ ବର୍ଷ ବୟସର ବାଳିକାମାନେ ନେଇ ପାରିବେ । କାରଣ ଏହି ସମୟରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ । ଜାନୁଆରୀ ମାସ ଗର୍ଭାଶୟ କର୍କଟ ଏବଂ ଏଚ୍‌ପିଭି ଟିକାକରଣ ବିଷୟରେ ସଚେତନତା ସୃଷ୍ଟି କରିବାର ମାସ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଚଳିତ ବର୍ଷର ବିଷୟବସ୍ତୁ କିଛି ପିଢି ମଧ୍ୟରେ ଗର୍ଭାଶୟ କର୍କଟ ରୋଗର ସମାପ୍ତି ଉପରେ ଧ୍ୟାନ ଦେଉଛି । ସର୍ଭିକାଲ କ୍ୟାନସର ବା ଗର୍ଭାଶୟ ଗ୍ରୀବା କର୍କଟ ହୋବର କାରଣ ମାନବ ପାପୋଲିମା ଭୂତାଣୁ ବା (ଏଚ୍‌.ପି.ଭି) । ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ । ଏହି ସଂକ୍ରମଣ ବାରମ୍ବାର ହେବାର ସଥେଷ୍ଟ ସମ୍ଭାବନା ଥାଏ । ପ୍ରତିବର୍ଷ ପ୍ରାୟ ୧ଲକ୍ଷ ୨୫ହଜାର ମହିଳା ଗର୍ଭାଶୟ କର୍କଟର ସମ୍ମୁଖୀନ ହୋଇଥାନ୍ତି ଏବଂ ସେଥି ମଧ୍ୟରୁ ୭୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କର ମୃତ୍ୟୁ ଘଟିଥାଏ । ଗର୍ଭାଶୟ କର୍କଟ ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

ପରବର୍ତ୍ତୀ ସମୟରେ ଶରୀରରେ ସାଧାରଣତଃ କିଛି ଲକ୍ଷଣ ଦେଖିବାକୁ ମିଳେ ସେଗୁଡ଼ିକ ହେଲା ଯୋନୀପଥରୁ ଅନିୟମିତ ରକ୍ତସ୍ରାବ, ଦୁର୍ଗନ୍ଧଯୁକ୍ତ ନିଷ୍କାସନ, ସହବାସରେ ଯନ୍ତ୍ରଣା ଅନୁଭବ ହେବା ଇତ୍ୟାଦି । ତେବେ ଏଭଳି ଲକ୍ଷଣ ଦେଖାଦେଲେ ତାହାକୁ କର୍କଟ ବୋଲି ନ ଭାବି ଡାକ୍ତରଙ୍କ ପରାମର୍ଶ ନିଆଯିବା ଆବଶ୍ୟକ । ଲୋକଙ୍କ ମଧ୍ୟରେ ସଚେତନତା ଓ ସମୟ ପୂର୍ବରୁ ଏହାର ଚିହ୍ନଟ କରାଯାଇପାରିଲେ ନିରାକରଣ ସହଜ ହୋଇଥାଏ । ଏବେ କିମ୍‌ସ-ଭୁବନେଶ୍ୱରରେ ଗର୍ଭାଶୟ କର୍କଟ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ । ଗତ ବର୍ଷ ସେପ୍ଟେମ୍ବର ମାସରେ ଗର୍ଭଶୟ କର୍କଟ ବିରୋଧରେ ଭାରତ ପ୍ରଥମ ଟିକା (ସିଇଆରଭିଏଭିଏସି) ପାଇଛି । ଦେଶରେ ଟିକା ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଏକ ବଡ ପ୍ରତିବନ୍ଧକ ହେବ ନାହିଁ । ଏହା ସେରମ୍‌୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଏହାକୁ ପ୍ରସ୍ତୁତ କରିଛି । ଏହି ଟିକାର ଉପଲବ୍ଧତା ଆମଦାନୀ ହୋଇଥିବା ଟିକା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ, ଯାହାକୁ ପ୍ରାୟ ସମସ୍ତେ କ୍ରୟ କରିପାରିବେ ବୋଲି ଡା ରଥ କହିଛନ୍ତି ।

Spread the love