ପୂରଣ ହେଲା ମାନସିକ: ତିରୁମାଲା ଭେଙ୍କଟେଶ୍ୱରଙ୍କୁ ୩ କୋଟିର ରତ୍ନ ଜଡିତ ସୁନା ହାତ ଦାନ କଲେ ଭକ୍ତ, ଗୋପନ ରଖିଲେ ପରିଚୟ

ତିରୁମାଲା ୧୦/୧୨ : ତିରୁମାଲା ପ୍ରାଚୀନ ପାହାଡ ମନ୍ଦିରରେ ଭେଙ୍କଟେଶ୍ୱରଙ୍କ ହାତକୁ ସଜାଇବାକୁ ଜଣେ ଭକ୍ତ ଶୁକ୍ରବାର ଦିନ ରତ୍ନ ଜଡିତ ସୁନା ହାତ ଦାନ କରିଛନ୍ତି। ନିଜ ମାନସିକ ପୂରଣ ହେବାରୁ ଭକ୍ତ ଜଣକ ସୁନା ହାତ ଦାନ କରିଛନ୍ତି। ବ୍ୟକ୍ତି ଜଣକ ଗୋପନୀୟ ଭାବେ ଦାନ କରିଛନ୍ତି। ମନ୍ଦିରର ଜଣେ ଅଧିକାରୀ କହିଛନ୍ତି ଯେ ତିରୁମାଲାରେ ରହୁଥିବା ଗୋଟିଏ ପରିବାର ତିରୁମାଲା ତିରୁପତି ଦେବସ୍ଥାନମର ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ଏ.ଭେଙ୍କଟ ଧର୍ମା ରେଡ୍ଡୀଙ୍କୁ ଏହି ସୁନା ହାତ ହସ୍ତାନ୍ତର କରିଛନ୍ତି। ନିଜ ନାମ ଗୋପନ ରଖି ସେ ସୁନା ଦାନ କରିଛନ୍ତି।

ଏହି ସୁନା ହାତର ଓଜନ ୫.୩ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ୩ କୋଟି ଟଙ୍କା। ଏହା ମନ୍ଦିର ଗର୍ଭଗୃହରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ସୁଶୋଭିତ କରିବ। ମନ୍ଦିର ଅଧିକାରୀ କହିଛନ୍ତି ଯେ ଭକ୍ତ ଜଣକ ୫୦ ବର୍ଷ ହେଲା ତିରୁମାଲା ମନ୍ଦିରରେ ଭେଙ୍କଟେଶ୍ୱରଙ୍କୁ ପୂଜା କରୁଛନ୍ତି। ଗତ ବର୍ଷ କରୋନା ମହାମାରୀ ଯୋଗୁଁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେ ନିଜେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ସେତେବେଳେ ସେ ତିରୁପତି ବାଲାଜୀ ମନ୍ଦିରରେ ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାନସିକ ରଖିଥିଲେ। ତାଙ୍କ ମାନସିକ ପୂରଣ ହୋଇଥିଲା ଓ ସେ କରୋନାରୁ ସୁସ୍ଥ ମଧ୍ୟ ହୋଇଯାଇଥିଲେ।

ତିରୁପତି ମନ୍ଦିରରେ ଅଧିକାଂଶ ସମୟରେ ଭକ୍ତ ସୁନା ଦାନ କରିଥାନ୍ତି। ସେଥିପାଇଁ ଦାନ ମାମଲାରେ ଏହି ମନ୍ଦିର ଭାରତରେ ପ୍ରଥମ ସ୍ଥାନରେ ଅଛି। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ମନ୍ଦିର ଦର୍ଶନ ପାଇଁ ଆସିଥାନ୍ତି। ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଭଗବାନ ଭାଙ୍କଟେଶ୍ୱର (ଭଗବାନ ବିଷ୍ଣୁ)ଙ୍କୁ ଦର୍ଶନ କରିବା ଇଚ୍ଛା ନେଇ ଆସିଥାନ୍ତି। ଏହା ଭାରତର ସେହି ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ଯାହାର ଦ୍ୱାର ସବୁ ଧର୍ମର ଅନୁଗାମୀଙ୍କ ପାଇଁ ଖୋଲା। ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଦେଖରେଖ ତିରୁପତି ଦେବସ୍ଥାନମ କରିଥାଏ।

Spread the love