ପ୍ରଥମ ଥର ସଂଖ୍ୟାଲଘୁ ହେବେ କୋଲକାତା ମେୟର, ଫିରହାଦ ହକିମଙ୍କୁ ନେତା ମନୋନୀତ କଲେ TMC କର୍ପୋରେଟର

କୋଲକାତା ୨୩।୧୨: ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ପ୍ରଥମଥର ଜଣେ ମୁସଲମାନ ସଂଖ୍ୟାଲଘୁ କୋଲକାତାର ମେୟର ହେବାକୁ ଯାଉଛନ୍ତି। ଗୁରୁବାର ତୃଣମୂଳ କଂଗ୍ରେସ କର୍ପୋରେଟରମାନେ ଦଳର ବରିଷ୍ଠ ନେତା ଫିରହାଦ ହକିମଙ୍କୁ ତାଙ୍କର ନେତା ମନୋନୀତ କରିଛନ୍ତି। ଆଗାମୀ ସଫ୍ତାହରେ ସେ କୋଲକାତା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। କୋଲକାତା ନଗରନିଗମ ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ୧୪୪ଟି କର୍ପୋରେଟର ଆସନରୁ ୧୩୪ଟି ଜିତି ନେଇଥିଲା।

ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ଜଣେ ସଂଖ୍ୟାଲଘୁ ନେତା ହକିମ କୋଲକାତାର ମହାପୌର ହେବାକୁ ଯାଉଛନ୍ତି। ଏଥର ପ୍ରତି ୬ ମାସରେ ମହାପୌରଙ୍କ କାର୍ଯ୍ୟ ସମୀକ୍ଷା ଲାଗି ମଧ୍ୟ ଟିଏମସି ନିଷ୍ପତ୍ତି ନେଇଛି। ହକିମ ଏବେ ରାଜ୍ୟ ସରକାରଙ୍କ ପରିବହନ ଓ ଆବାସ ମନ୍ତ୍ରୀ ଅଛନ୍ତି। ସେ କୋଲକାତା ନଗରନିଗମ(କେଏମସି)ର ୩୯ତମ ମେୟର ହେବେ।

ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ଏବେ ପ୍ରତି ୬ ମାସରେ କେଏମସିର ବିକାଶ ସମୀକ୍ଷା କରାଯିବ ଓ ଯେଉଁମାନଙ୍କ ପ୍ରଦର୍ଶନ ମାନ ହ୍ରାସ ଦେଖାଯିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି। ୨୦୧୮ ମସିହାରେ କୋଲକାତା ମେୟର ପଦରୁ ଶୋଭେନ ଚାଟାର୍ଜୀ ଅଚାନକ ଇସ୍ତଫା ଦେବା ଯୋଗୁ  ହକିମ କାର୍ଯ୍ୟକାରୀ ମେୟର ଭାବେ କେଏମସି ଦାୟିତ୍ୱ ସମ୍ଭାଳିଥିଲେ।

୨୦୨୦ ମସିହା ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ। ପ୍ରଥମ ବୋର୍ଡର କାର୍ଯ୍ୟକାଳ ସମାପ୍ତ ହେବା ପରେ ହକିମ ନିଗମ ପ୍ରଶାସକ ପଦରେ ନିଯୁକ୍ତ ହୋଇଥିଲେ। ତେବେ ୨୦୨୦ରେ କରୋନା ଭାଇରସ ମହାମାରୀ ଲାଗି କେଏମସି ନିର୍ବାଚନ ହୋଇପାରିନଥିଲା। ଚଳିତ ନିର୍ବାଚନରେ ହକିମ ୮୨ ନମ୍ବର ୱାର୍ଡରୁ କର୍ପୋରେଟର ନିର୍ବାଚିତ ହୋଇଛନ୍ତି।

Spread the love