ତ୍ୱଚା ପାଇଁ ଖୁବ୍‌ ଦରକାରୀ ଗୁଜୁରାତି, ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା ସମ୍ପର୍କରେ

ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବା ପାଇଁ ଆମେ ଗୁଜୁରାତି ବ୍ୟବହାର କରିଥାଉ। ଆମିଷ ହେଉ କି ନିରାମିଷ, ସବୁ ପ୍ରକାରର ତରକାରୀରେ ବି ଗୁଜୁରାତି ଗୁଣ୍ଡକୁ ଭାରତୀୟ ମାନେ ବ୍ୟବହାର କରିଥାନ୍ତି। ଏହା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଏଣୁ ଭୋଜି ଭାତ ଓ ରୋସ୍ତୋରାଁରେ ଏହା ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଖାସ୍‌ କରି ଚା’ରେ ଅଧିକାଂଶ ଲୋକ ଗୁଜୁରାତି ପକାଇବାକୁ ପସନ୍ଦ କରନ୍ତି। ଏହାର ବାସ୍ନା ଚା’ର ସ୍ୱାଦକୁ ବଢ଼ାଇଦିଏ। ବର୍ତ୍ତମାନ ବଜାରରେ ସବୁଜ ଗୁଜୁରାତି ମଧ୍ୟ ମିଳୁଛି। ଏହା କେବଳ ବ୍ୟଞ୍ଜନର ବାସ୍ନା ନୁହେଁ, ସ୍ୱାଦ ବି ବଢ଼ାଇଥାଏ। ତେବେ କେବଳ ଖାଦ୍ୟରେ ନୁହେଁ, ତ୍ୱଚା ପାଇଁ ମଧ୍ୟ ଗୁଜୁରାତି ଔଷଧ ଭଳି କାମ ଦେଇଥାଏ। ତ୍ୱଚାରୁ ଦାଗକୁ ଦୂର କରିବାରେ ଏହା ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ କେମିତି ରାମବାଣ ଭଳି କାମ ଦିଏ ଗୁଜୁରାତି…

ତ୍ୱଚାର ରଙ୍ଗକୁ ଉଜ୍ଜଳ କରେ:

ଗୁଜୁରାତି ଶରୀରର ରଙ୍ଗକୁ ଗୋରା କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ଗୁଜୁରାତିର ତେଲ ଆପଣଙ୍କ ତ୍ୱଚାର ଦାଗ ହଟାଇବାରେ ମଧ୍ୟ ସାହାଯ୍ୟ କରେ। ଫଳରେ ତ୍ୱଚାର ରଙ୍ଗ ସଫା ହୁଏ। ଆପଣ ଚାହିଁଲେ ଗୁଜୁରାତିକୁ ପାଉଡର କରି ସେଥିର ମହୁ ମିଶାଇ ଫେସ୍‌ମାସ୍କ ଭାବେ ମଧ୍ୟ ମୁହଁରେ ଲଗାଇପାରିବେ। ଏହି ଫେସ୍‌ପ୍ୟାକ୍‌କୁ ମୁହଁରେ ଲଗାଇ ୧୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ଶୁଖିଯିବା ପରେ ମୁହଁ ଧୋଇ ଦିଅନ୍ତୁ। କିଛି ଦିନ ପରେ ଦେଖିବେ ମୁହଁରୁ ସବୁ ଦାଗ ଚାଲିଯାଇଥିବ।

ଓଠ ପାଇଁ ଦରକାରୀ:

ଗୁଜୁରାତି ତେଲକୁ ପ୍ରାୟତଃ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ। ଖାସ୍‌ କରି ଲିପ୍‌ବାମ୍‌ଗୁଡ଼ିକରେ ଗୁଜରାତି ତେଲ ବ୍ୟବହୃତ ହୋଇଥାଏ। ଆପଣ ଗୁଜୁରାତିକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ମଧ୍ୟ ଓଠରେ ଲଗାଇ ପାରିବେ। ଏହାକୁ ୧୦ ମିନିଟ୍‌ ଓଠରେ ରଖି ଶୁଖିଯିବା ପରେ ଧୋଇ ଦିଅନ୍ତୁ। କିଛି ଦିନ ଏଭଳି କଲେ ଓଠ ମୁଲାୟମ ହୋଇଯିବ।

ଦାଗମୁକ୍ତ ତ୍ୱଚା ପାଇଁ:

ଯେଉଁ ସବୁ ବିଷାକ୍ତ ପଦାର୍ଥ ତ୍ୱଚାରେ ଦାଗ ସୃଷ୍ଟି କରେ, ସେସବୁକୁ ଶରୀରରୁ ନିଷ୍କାସନ କରିବାରେ ଗୁଜୁରାତି ସାହାଯ୍ୟ କରେ। ଗୁଜୁରାତିର ମଞ୍ଜିକୁ ଚୋବାଇଲେ ଶରୀର ଡିଟକ୍ସ ହୋଇଥାଏ। ଫଳରେ ତ୍ୱଚା ମଧ୍ୟ ଦାଗମୁକ୍ତ ହୁଏ। ଏଥିପାଇଁ ପ୍ରତିଦିନ ଗୁଜୁରାତି ଚୋବାନ୍ତୁ। କିନ୍ତୁ ଧ୍ୟାନ ରଖିବେ, ଅଧିକ ଗୁଜୁରାତି ଆପଣଙ୍କ ଦେହ ଖରାପ କରିପାରେ।

ତେବେ କେବଳ ତ୍ୱଚା ପାଇଁ ନୁହେଁ, ଗୁଜୁରାତି ଓଜନ କମ୍‌ କରାଇବାରେ ମଧ୍ୟ ସାହାଯ୍ୟ କରେ। ଏହା ଲିଭରକୁ ଠିକ୍‌ ଭାବେ କାମ କରିବାରେ ସହାୟକ ହୋଇଥାଏ। ବାନ୍ତି ଲାଗୁଥିଲେ ପାଟିରେ ଗୋଟେ ଗୁଜୁରାତି ପକାଇ ଦିଅନ୍ତୁ, ବାନ୍ତି ଅଟକିଯିବ। ସେହିପରି ଯଦି ଏସିଡିଟି ସମସ୍ୟା ଥାଏ ତେବେ କିଛି ଗୁଜୁରାତି ଚୋବାନ୍ତୁ। ଗ୍ୟାସ୍‌ ସମସ୍ୟା ଦୂରେଇ ଯିବ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗୁଜୁରାତି ଏକ ବରଦାନ ସଦୃଶ୍ୟ। ଏହା ଶରୀରର ରକ୍ତଚାପକୁ ନିୟନ୍ତ୍ରୟ କରିଥାଏ। ଫଳରେ ଡାଇବେଟିସ୍‌ କଣ୍ଟ୍ରୋଲରେ ରହେ। ଏଭଳି ଉପାୟରେ ଆପଣ ପ୍ରତିଦିନ କିଛି କିଛି ଗୁଜୁରାତି ଖାଆନ୍ତୁ, ସୁସ୍ଥ ରହିବେ।

Spread the love