ଆଜିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଯାତ୍ରା

ବ୍ରହ୍ମଗିରି : ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ସ୍ନାନ ବେଦୀରେ ଦେବସ୍ନାନ କଲାପରେ ଏବେ ଜ୍ବରରେ ପୀଡିତ। ଅଣସର ପିଣ୍ଡିରେ ଚଦୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ଗୁପ୍ତ ସେବା। ତେଣୁ ଏହି ସମୟରେ ୧୪ ଦିନ ପାଇଁ ବ୍ରହ୍ମଗିରିର ଅଲାରନାଥ ପୀଠ ପାଲଟିଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର।

ଏଠାରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ହେଲେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ଅଲାରନାଥ ପୀଠରେ ଲାଗିଛି ୧୪୪ ଧାରା। ଶୁକ୍ରବାରଠାରୁ ଠାରୁ ଆସନ୍ତା ୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

କେବଳ ସୀମିତ ପାଳିଆ ସେବାୟତଙ୍କ ଦ୍ବାରା ଅନବସର ନୀତି ଚାଲିବ। ସେହିପରି ଶୁକ୍ରବାର ଭୋର ୪ ଟାରେ ମହାପ୍ରଭୁଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ,ଅବକାଶ,ମଇଲମ,ଚନ୍ଦନ ତୁଳସୀ ଲାଗି ପରେ ବଲ୍ଲଭ ଧୂପ ହୋଇ ଅନ୍ୟନ୍ୟ ନୀତି ଚାଲିଛି।

Spread the love