ସକ୍ରିୟ ଭିଜିଲାନ୍ସ,ଗୋଟିଏ ଦିନରେ ଧରାପଡ଼ିଲେ ୭ ଜଣ ସରକାରୀ ବାବୁ
ଆଜି ଗୋଟିଏ ଦିନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୭ ଜଣ । ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ସରକାରୀ ଅଧିକାରୀ । କଟକ ବଡ଼ମ୍ବା ବ୍ଲକର ଜୁନିଅର ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଛି ଭିଜିଲାନ୍ସ । ଜଣେ କଣ୍ଟ୍ରାକ୍ଟରଙ୍କଠାରୁ MGNREGର ବିଲ୍ ପାସ କରିବା ପାଇଁ ସେ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।
ବାଉରୀବନ୍ଧୁ ପରିଡ଼ାଙ୍କ କଟକ ବାଲିକୁଦା ସ୍ଥିତ ଘର ସମେତ ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ରେଡ ବେଳେ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏଥିସହ ତାଙ୍କର ୨୦ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି କାର୍ ଏବଂ ନିକଟରେ ୩୦ ଲକ୍ଷ ଟଙ୍କାରେ ଏକ ପ୍ଲଟ୍ କିଣିଥିବା କାଗଜପତ୍ର ମିଳିଛି ।
ସେହିଭଳି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବିଇଓ ଅଫିସ କିରାଣି ମାନସ ରଞ୍ଜନ ଧଳ । ପଟ୍ଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡାଙ୍କ ଠାରୁ ଏରିଅର ସଂକ୍ରାନ୍ତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ସେହିଭଳି ଲାଞ୍ଚ ନେଇ ଧରାପଡ଼ିଥିବା ରାଉରକେଲାର ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଅଦାଲତ । ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ମାମଲା ଶୁଣାଣି କରି କୈଳାସ ଚନ୍ଦ୍ର ବେହେରାଙ୍କ ବିରୋଧରେ ରାୟ ଶୁଣାଇଛନ୍ତି । କୈଳାସ ଚନ୍ଦ୍ର ଜଣେ ବ୍ୟକ୍ତିଙ୍କ ଠାରୁ ଲିଜ୍ ଜମି ବାତିଲ ନ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ..ସେହିଭଳି ଜଟଣୀ ମ୍ୟୁନିସିପାଲଟିର ପୂର୍ବତନ ଆକାଉଣ୍ଟାଣ୍ଟ ଶରତ ଦାସ ରୋଡ୍ ଏବଂ ଡ୍ରେନ୍ର ବିଲ୍ ପାସ୍ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ କିଞ୍ଜିରିକେଲାର ପୂର୍ବତନ ସରପଞ୍ଚ ଜୟନ୍ତୀ ପ୍ରଧାନ ଏବଂ ମାଲକାନଗିରିର ପୂର୍ବତନ ଏସିଏଫ୍ ଶରତ ପଣ୍ଡା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।