ନିଜର ଅପାରଗତା ଓ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଉଚିତ : ବିଜେପି

ଭୁବନେଶ୍ୱର, ତା.୧୬/୦୨: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଅରାଜକତା ବୃଦ୍ଧି ପାଉଛି । ରାଜ୍ୟର ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ପ୍ରଶାସନ ଅପମାନିତ କରୁଛି । ଏବେ ମହିଳା ପୋଲିସ ମଧ୍ୟ ବିଜୁ ଜନତା ଦଳର ମହିଳା ମୋର୍ଚ୍ଚାଭାବେ କାର୍ଯ୍ୟ କରୁଛି । ଶ୍ରୀ ମିଶ୍ରଙ୍କୁ ଫସାଇବା ପାଇଁ ଓଡ଼ିଶା ମହିଳା ପୋଲିସ ଗ୍ରୁପହୋଇ ଯାଇ ଥାନାରେ ଏତଲା ଦେଇଛି । ଓଡ଼ିଶା ପୋଲିସଙ୍କ ଏଭଳି କାର୍ଯ୍ୟ ପାଇଁ ଶ୍ରୀ ମିଶ୍ର ପିଏସ୍‌ଓଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏନେଇ ଶ୍ରୀ ମିଶ୍ରଙ୍କ ସାଙ୍ଗରେ ରାଜ୍ୟ ପୋଲିସ ପ୍ରଶାସନର ଡିଜି, ଡିଆଜି, ଏସ୍‌ପି ସମ୍ବଲପୁର କଥା ନହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଓଡିଶା ପୋଲିସ ପ୍ରଶାସନ କଣ ବିଜେଡି ପାର୍ଟିର ହୋଇଯାଇଛି କି ବୋଲି ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ପ୍ରଶାସନ ସାଧାରଣ କର ଦାତାଙ୍କର ଟିକସ ପଇସାରୁ ଦରମା ପାଉଛି କିନ୍ତୁ ବିଜୁ ଜନତା ଦଳର କର୍ମୀଭାବେ କାର୍ଯ୍ୟ କରିବା ଗ୍ରହଣୀୟ ନୁହେଁ । ବିଜୁ ଜନତା ଦଳ ବିଧାନସଭା ଚଳାଇବାରେ ବାଧା ଦେଉଥିଲେ ଏବେ ବିରୋଧୀ ଦଳର ନେତା ଶ୍ରୀ ମିଶ୍ରଙ୍କ କଣ୍ଠରୋଧ କରିବା ପାଇଁ ହତ୍ୟାକାରୀ କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ । ସମ୍ବଲପୁର ସର୍କିଟ ହାଉସରେ ବିଜୁ ଜନତା ଦଳ କାର୍ଯ୍ୟକର୍ତା ଓ କର୍ମୀମାନେ ପଶି ଭଙ୍ଗାରୁଜା କରିବା ସହ ଶ୍ରୀ ମିଶ୍ରଙ୍କ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି । ଏହା କେଉଁ ପ୍ରକାରର ସଂସ୍କାର ବୋଲି ଆଜି ରାଜ୍ୟପାଳ ଅଫିସ ଆଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏବଂ ପ୍ରତିବାଦ ସଭାରେ କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।


ରାଜ୍ୟର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ଓଡ଼ିଶା ପୋଲିସ ଯେଉଁଭଳିଭାବେ ତଦନ୍ତକୁ ବାଂଟବଣା କରାଯାଉଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ସ୍ୱର୍ଗତଃ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ହାତ ଅଛି । ତଦନ୍ତ କେବଳ ଗୋପାଳ ଚାରିପାଖରେ ଘୁରି ବୁଲିଲା କିନ୍ତୁ ଗୋପାଳକୁ ଏହି ହତ୍ୟାକାଣ୍ଡ ଭିଆଇବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ତାହାକୁ କ୍ରାଇମବ୍ରାଂଚ ଅତି ଚତୁରତାର ସହ ଲୁଚାଇବା ପାଇଁ ଚେଷ୍ଟା କରୁଛି । ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀ ହତ୍ୟାର ତଦନ୍ତ ଅବସ୍ଥା ଏଇଆ ତାହାଲେ ସାଧାରଣ ଲୋକଙ୍କୁ ଏ ରାଜ୍ୟରେ କଣ ନ୍ୟାୟ ମିଳିବ ତାହା ଏକ ବଡ ପ୍ରଶ୍ନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପୁର ଉପନିର୍ବାଚନ ବେଳେ ଶ୍ରୀ ମିଶ୍ର ନାଁରେ ମିଥ୍ୟା ମାମଲା ରୁଜୁ କରିବା ଘଟଣା ସାରା ଓଡ଼ିଶାବାସୀ ଦେଖିଛନ୍ତି । ଓଡ଼ିଶା ପୋଲିସ ନିଜର ନୈତିକଦାୟିତ୍ୱ ଭୁଲିଯାଉଛି । ରାଜ୍ୟ ସରକାର ବିରୋଧୀ ଦଳର ନେତା ଓ ବିରୋଧୀଙ୍କ କଣ୍ଠରୋଧ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଶାସକ ଦଳର ମନ୍ତ୍ରୀ, ବିଧାୟକ, ପୋଲିସ କେହିବି ସମ୍ବିଧାନ ଉପରେ ନୁହନ୍ତି । ବିଜୁ ଜନତା ଦଳର ତିର୍ତୋଲ ବିଧାୟକ, ଆନନ୍ଦପୁର ବିଧାୟକ ଓ ଭୁବନେଶ୍ୱରରେ ଜଣେ ପ୍ରଭାବଶାଳୀ ହକି ଖେଳାଳିଙ୍କ କଥାକୁ ଦୃଷ୍ଟି ଦେଖିଲେ ଲାଗୁଛି ଓଡିଶା ପୋଲିସର ବାବୁମାନେ ସାଧାରଣ ଜନତାଙ୍କ ଅଭିଯୋଗ ରଖୁନାହାନ୍ତି । ଏବେ ଓଡ଼ିଶାରେ ହାଇକୋର୍ଟ ଅର୍ଡର ଦେବା ପରେ ଯାଇ ଏତଲା ରୁଜୁ ହେଉଛି । ଓଡ଼ିଶାରେ ଅରାଜକତାର ଶୀର୍ଷରେ ରହିଛି ଓ ପୋଲିସ ପ୍ରଶାସନ ବିଜୁ ଜନତା ଦଳର କର୍ମକର୍ତାଭଳି ବ୍ୟବହାର କରୁଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେପବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 
ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର ବୋଲି ନବୀନ ବାବୁ କହୁଛନ୍ତି କିନ୍ତୁ ବାସ୍ତବରେ ଗୋଟିଏ ବି ପରିବାର ସୁରକ୍ଷିତ ନୁହନ୍ତି । ୨୩ ବର୍ଷର ବିଜେଡି ସରକାରରେ ମହିଳାଙ୍କୁ ଦୁଷ୍କର୍ମ, ଅପହରଣର କାୟା ବିସ୍ତାର କରିଛି । ପରୀ, ମମିତା ମେହେର, କୁନ୍ଦୁଲୀ ଗଣଦୁଷ୍କର୍ମ ଘଟଣାରେ ପୀଡିତା ନ୍ୟାୟ ପାଇପାରିଲେ ନାହିଁ । ଓଡ଼ିଶାରେ ଯିଏ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବ ତାହାକୁ ହତ୍ୟା କରାଯାଉଛି । ଓଡ଼ିଶାର ଲୋକଙ୍କ ସୁରକ୍ଷା ପାଇଁ ବିଜେପି ସର୍ବଦା ଆନ୍ଦୋଳନ କରିଥାଏ । ସେହିପରି ବିରୋଧୀ ଦଳ ନେତା ଓଡିଶାରେ ସୁରକ୍ଷିତ ନୁହନ୍ତି । ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ଅଛନ୍ତି ବୋଲି ବିଜେପିର ଓଡ଼ିଶା ପ୍ରଭାରୀ ତଥା କେନ୍ଦ୍ରୀୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।
ଗତକାଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଓଡ଼ିଶାର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଆଜି ରାଜଭବନ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦଳ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବରଗଡ ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା କେଭି ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ମନମୋହନ ସାମଲ, ନୟନ କିଶୋର ମହାନ୍ତି, ବିଧାୟକ ଲଲାତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସକିନ୍ଦର ଅଲ୍ଲୀ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଠାକୁର ରଞ୍ଜିତ ଦାସ, ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର, ଅନୀଲ ବିଶ୍ୱାଳ, ଜିଲ୍ଲା ସଭାପତି ବାବୁ ସିଂ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love