ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ସରିବ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା 6ଟାରେ ସରୁଛି ପ୍ରଚାର ଅଭିଯାନ। ଏହି ପର୍ଯ୍ୟାୟରେ 4ଟି ଲୋକସଭା ଓ 28ଟି ବିଧାନସଭା ପାଇଁ ଆସନ୍ତା 11 ତାରିଖରେ ଭୋଟ୍ ଗ୍ରହଣ ହେବ। କଳାହାଣ୍ଡି, ନବରଙ୍ଗପୁର (ଏସଟି), ବ୍ରହ୍ମପୁର, କୋରାପୁଟ (ଏସିଟି) ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି କାଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼ (ଏସଟି), ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା (ଏସସି) ଓ ନର୍ଲା ବିଧାନସଭା ଆସନ ସମେତ ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଆସୁଥିବା ଉମରକୋଟ (ଏସଟି), ଝରିଗାଁ (ଏସଟି), ନବରଙ୍ଗପୁର (ଏସଟି), ଡାବୁଗାଁ (ଏସଟି), କୋଟପାଡ଼ (ଏସଟି), ମାଲକାନଗିରି (ଏସଟି) ଓ ଚିତ୍ରକୋଣ୍ଡା (ଏସଟି) ଆସନ ପାଇଁ ପ୍ରଚାରକାର୍ଯ୍ୟ ବନ୍ଦ ହେବ।
ସେହିପରି ବ୍ରହ୍ମପୁର ଆସନ ଅଧୀନରେ ଆସୁଥିବା ଛତ୍ରପୁର (ଏସସି), ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା (ଏସଟି) ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ଗୁଣୁପୁର (ଏସଟି), ବିଷମକଟକ (ଏସଟି), ରାୟଗଡ଼ା(ଏସଟି), ଲକ୍ଷ୍ମୀପୁର (ଏସଟି), ଜୟପୁର, କୋରାପୁଟ (ଏସସି) ଓ ପଟ୍ଟାଙ୍ଗୀ (ଏସଟି) ବିଧାନସଭା ଆସନ ପାଇଁ ପ୍ରଚାରକାର୍ଯ୍ୟ ବନ୍ଦ କରିବାକୁ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ବିଧାନସଭା ପାଇଁ ମୋଟ 203 ଜଣ ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପାଇଁ 28 ଜଣ ପ୍ରାର୍ଥୀ ନିର୍ବାଚନରେ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବେ।
Spread the love