ଆଜି କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ମଣିଷ ଜନ୍ମ ସୃଷ୍ଟିରେ ସର୍ବ ଶ୍ରେଷ୍ଠ । ଆଉ ସେଥିରେ ନାରୀ ଏକ ନିଆରା ସୃଷ୍ଟି ନାରୀ ଗୋଟିଏ ଶବ୍ଦର ଉଚ୍ଚାରଣ ନୁହେଁ କିମ୍ବା ଦୁଇଟି ଶବ୍ଦର ସଂଯୋଜନା ନୁହେଁ । ନାରୀ ସୃଷ୍ଟିର ଶ୍ରେଷ୍ଠ ପରିକଳ୍ପନା । ଓଡିଆ ସାହିତ୍ୟରେ ନାରୀ କବିଙ୍କ କଥା କହିଲେ ଆପଣ ଛାଏଁ ଉଜ୍ଜଳ ତାରକା ପରି ଛଳସି ଉଠନ୍ତି ନାରୀ କବୀ କୁନ୍ତଳା କୁମାରୀ ସାବତ । ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ପଢନ୍ତୁ ସ୍ୱତନ୍ତ୍ର ଆଲେଖ୍ୟ ‘ସାହିତ୍ୟ ଜଗତେ ଉତ୍କଳ ଭାରତୀ’।

ଉତ୍କଳ ଭାରତୀ  କୁନ୍ତଳା କୁମାରୀ ସାବତ ଏକାଧାରରେ ଜଣେ ସ୍ୱାଧିନତା ସଂଗ୍ରାମୀ , ଓଡିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ସଂମ୍ପାଦିକା । ବହୁ ଭାଷାରେ ପାରଙ୍ଗମ ଥିଲେ ସେ । ତାଙ୍କ କବିତାର ସ୍ୱର ଥିଲା ବିଶ୍ୱବାସୀଙ୍କ ହିତ ପାଇ ତଥା ମଣିଷ ଜାତିର ଉନ୍ନତି ନିମନ୍ତେ । ମଣିଷର ଶ୍ରେଷ୍ଠତା ପ୍ରତିପାଦନରେ ତାଙ୍କ କବିତାରେ ତତ୍ପରତା ପ୍ରଦର୍ଶିତ ହୋଇଥାଏ ।

ଧ୍ୱସଂର ଯାତ୍ରୀ , ମୃତର ଧାତ୍ରୀ

ନୁହେ ଏ ବିଶାଳ ଜଗତୀ

ଶୁଣ ହେ ମଣିଷ ଭାଇ

ଅମୃତ ଦୀପ୍ତି ସନ୍ତାନ ତୁମେ

ମରଣ ତୁମ କାହିଁ ?

କୁନ୍ତଳା କୁମାରୀ ସାବତଙ୍କ ଜୀବନ କାଳ ଶରତ ରଜନୀର ସ୍ନିଗୋଧକୋମଳ ଶେଫାଳୀ ପରି । ମାତ୍ର ୩୮ ବର୍ଷର ଜୀବନ କାଳରେ ନିଜ ଲେଖନୀର ସୁରଭିକୁ ସେ ବାଣ୍ଟି ଯାଇଛନ୍ତି । ଯାହା ଯୁଗ ଯୁଗ ଧରି ବାସ୍ନାହୀତ କରିଆସୁଛି ସମଗ୍ର ଓଡିଆ ଜାତିକୁ । ତେବେ ସେ ଥିଲେ ଖୁବ୍ ଆଶାବାଦୀ ତାହା ଆଜିବି ତାଙ୍କ କବିତା ପଢିଲେ ଅନୁଭବ ହୁଏ ।

ତୋହ ପରି କ୍ଷୁଦ୍ର ମୁହିଁ , ତୋହ ପରି କ୍ଷଣିକ

ହସେ ବାସେ ରସେ ମାତ୍ର ଫୁଟିଅଛି ଘଡିକ ।

ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ

ତଥାପି ମୋ ଆତ୍ମା ଫୁଲ ନଯିବରେ ମଉଳି

ତେଣୁ ଆଶା ବହି ଦିନକାଟେ ଗଙ୍ଗ ଶିଉଳି ।

ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ

ମରିବାକୁ ଫୁଟି ନାହିଁ ଭବତରୁ ଡାଳରେ

ଅଛି ରମ୍ୟ ଉପବନ ଯହିଁ ଫୁଟି ଚିରଦିନ

ଅନନ୍ତ ଅମୃତ ପ୍ରେମ ସୁଦାମ ସୁବାସେ

ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ ।

 କୁନ୍ତଳାକୁମାରୀଙ୍କ କବିତାରାଜି ଆବେଗଦୀପ୍ତ ସ୍ୱାକ୍ଷର ବହନ କରେ, ଯାହା କି ଖୁବ୍ ବିରଳ । ତାଙ୍କ କବିତା ସଂକଳନଗୁଡିକ ହେଲା ଅଞ୍ଜଳି, ଉଚ୍ଛାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ପ୍ରେମଚିନ୍ତାମଣି । କେବେଳ ଏତିକିରେ ଶେଷ ହୋଇନଥିଲା ତାଙ୍କ ଲେଖନୀ । ଉପନ୍ୟାସ ରଚନା କରି ସେ ଖୁବ୍ ଯଶଶ୍ୱିନୀ ହୋଇପାରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ଉପନ୍ୟାସ ଭ୍ରାନ୍ତ, କାଳିବୋହୂ, ରଘୁଅରକ୍ଷିତ, ନଅତୁଣ୍ଡ ଓ ପରଶମଣି ।

ନିମ୍ନ ମଧବିତ୍ତ ପରିବାରର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଥାଏ ତାଙ୍କ ଉପନ୍ୟାସରେ । ତାଙ୍କ ଲେଖନୀରେ ଏବଂ କର୍ମରେ ସରୋଜିନୀ ନାଇଡୁ ବାରି ହୋଇପଡୁଥିଲେ । ତେଣୁ ତାଙ୍କୁ ଓଡିଶାର ସରୋଜିନୀ ବୋଲି ସମ୍ମୋଧନ କରାଯାଇଥାଏ । ସେ ଥିଲେ ଉଭୟ ଦ୍ରଷ୍ଟା ଓ ସ୍ରଷ୍ଟା । ମାତ୍ର ୭ ବର୍ଷ ଓଡିଶାରେ ଅବସ୍ଥାନ କରିଥିଲେ କୁନ୍ତଳା କୁମାରୀ । ଏହି ୭ ବର୍ଷରେ ତାଙ୍କ ସ୍ୱାରସତ ସେବା ବାସ୍ତବିକ ଅତୁଳନୀୟ । ମହାକାଳ ସ୍ରୋତରେ ତାଙ୍କ ଜୀବନ ଅବଧି ହୁଏତ କ୍ଷଣିକ ହେଲେ ସେ ଶାଶ୍ୱତ, ଚିରନ୍ତନତ୍ୱର ସନ୍ଧାନୀ ।

Spread the love