ଆଜି ‘ରସଗୋଲା’ ଦିବସ

ପୁରୀ : ‘ରସଗୋଲା’। ଏହି ଶବ୍ଦଟି ହିଁ କାନରେ ପଡ଼ିଗଲେ ଜିହ୍ବା ଲାଳାୟିତ ହୁଏ। ମାନବୀୟ ଲୀଳାଧାରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ‘ରସଗୋଲା’ର ସାହାରା ନେଇଥିବାରୁ ଏ ସମ୍ପର୍କରେ ଅଧିକ ବର୍ଣ୍ଣନା ଅନାବଶ୍ୟକ। ତେବେ ମହାପ୍ରଭୁଙ୍କ ରଥଯାତ୍ରାର ଅନ୍ତିମ ଚରଣରେ ମହାଲକ୍ଷ୍ମୀଙ୍କ ଅଭିମାନ ଓ ରସଗୋଲା ଦେଇ ଦେବୀଙ୍କୁ ତୋଷ କରିବାର ଲୀଳା ରସଗୋଲାଠୁ ବି ଆହୁରି ମିଠା।

୨୦୧୫ ମସିହା ପର୍ଯ୍ୟନ୍ତ ରସଗୋଲାକୁ ନେଇ ସ୍ବତନ୍ତ୍ର ଦିବସ ପାଳନ କେବେ ହୋଇନଥିଲା। ମାତ୍ର ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଯେତେବେଳେ କଳିର ସୂତ୍ରପାତ ହେଲା ସେତେବେଳେ ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା କରୁଥିବା ଓ ନିୟମିତ ଲେଖି ଆସୁଥିବା ଅସିତ ମହାନ୍ତି ତଥ୍ୟ ଯୋଗାଡ଼ କରି ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ କଲେ। ଗବେଷଣାର ମୂଳ ଭିତ୍ତି ଥିଲା ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦି ଅଭିମୁଖେ ଯାଇଥିଲେ ହେଁ ମହାଲକ୍ଷ୍ମୀଙ୍କୁ ସାଥିରେ ନନେବାରୁ ମା’ ଲକ୍ଷ୍ମୀ ଅଭିମାନ କରିଥିଲେ। ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ରସଗୋଲା ଭୋଗର ଉତ୍ପତି ହୋଇଥିବା ଗବେଷକଙ୍କ ମତରୁ ଜଣାଯାଏ।

ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନ ପାଳିତ ହେଉଛି ରସଗୋଲା ଦିବସ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ପରମ୍ପରା ରହିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାର ଘର ଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ ଓ ବନ୍ଦାପନା, ରସଗୋଲା ଭୋଗ, ଇତ୍ୟାଧି ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ସମାହିତ ହୁଏ। ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ଭିତରଚ୍ଛ ମହାପାତ୍ର ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ରସଗୋଲା ତିଆରି କରି ଆଣନ୍ତି। କଥିତ ଅଛି ମହାପ୍ରଭୁ ମହାଲକ୍ଷ୍ମୀ ଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥିଲେ। ଅପରପକ୍ଷେ ଏହି ଦିନ ସହରର ବିଭିନ୍ନ ବ୍ୟକ୍ତିବିଶେଷ, ମଠ, ସେବକମାନେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ରସଗୋଲା, ଛେନା ତାଡ଼ିଆ ଆଦି ଭୋଗ କରିଥାଆନ୍ତି। ଭେଟ ମଣ୍ଡପରେ ଭିତରଛ ମହାପାତ୍ରଙ୍କ ଘରୁ ଆସିଥିବା ରସଗୋଲା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ନିବେଦିତ ହୁଏ। ଏହି ଅବସରରେ ବହୁ ଭକ୍ତ ରଥାରୂଢ଼ ବିଗ୍ରହଙ୍କୁ ରସଗୋଲା ଭୋଗ ନିବେଦନ କରିବାର ପରମ୍ପରା ରହିଛି। ସେହିଭଳି ପୁରୀର ବିଭିନ୍ନ ମଠ ପକ୍ଷରୁ ମଧ୍ୟ ରସଗୋଲା ଭୋଗ ନିବେଦିତ ହୋଇଥାଏ।

ଏନେଇ ସଂସ୍କୃତି ଓ ଜିଆଇ ଗବେଷକ ତଥା ‘ଓଡ଼ିତ’ ଟ୍ରଷ୍ଟର ଟ୍ରଷ୍ଟି ଡ.ଅନିତା ସାବତ କହିଛନ୍ତି, ରସଗୋଲା ଆମ ଓଡ଼ିଶାର। ଏହା ଆମ ଆରାଧ୍ୟ ମହାପ୍ରଭୁଙ୍କ ପରମ୍ପରା ସହ ସଂଶ୍ଳିଷ୍ଟ। ରସଗୋଲା ଯେ ଓଡ଼ିଶାର ଏହାଠୁ ଆଉ ଅଧିକ ବଳିଷ୍ଠ ପ୍ରମାଣ ଆଉ କିଛି ବି ହୋଇନପାରେ। ସୋସିଆଲ ମିଡିଆରେ ଏନେଇ ବ୍ୟାପକ ସଚେତନତା ସହ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ’ର ଏହି ରସଗୋଲା ଦିବସକୁ ବ୍ୟାପକ କରାଇବାରେ ବହୁତ ବଡ଼ ଭୂମିକା ରହିଛି। ୨୦୧୫ ମସିହାରୁ ରସଗୋଲା ଦିବସ ପାଳନ ହୋଇ ଆସୁଛି। ୨୦୧୯ ମସିହା ଜୁଲାଇ ୨୯ରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍‌ ମିଳିଛି। ତେଣୁ ଆମ ଖାଦ୍ୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ପ୍ରତ୍ୟେକ ଓଡ଼ିଆଙ୍କ ସମ୍ପୃକ୍ତି ଓ ଭାଗିଦାରୀ ନିତାନ୍ତ ଆବଶ୍ୟକ। ରସଗୋଲା ଦିବସ ରାଜ୍ୟର ସମସ୍ତ ଜିଲ୍ଲାରେ ଆଡ଼ମ୍ବର ସହକାରେ ପାଳନ କରାଯିବା ଆବଶ୍ୟକ।

Spread the love