ଆଜି ମାର୍ଗଶୀର ମାସ ଦ୍ବିତୀୟ ଗୁରୁବାର ଓ କାଞ୍ଜି ଅଁଳା ଓଷା

ନମସ୍ତେ କମଳା ମା’ଗୋ ସାଗର ଦୁଲଣୀ…. ନମସ୍ତେ ନମସ୍ତେ ମା’ଗୋ ବିଷ୍ଣୁ ପାଟରାଣୀ…’। ଆଜି ମାର୍ଗଶୀର ମାସ ଦ୍ବିତୀୟ ଗୁରୁବାର। ଏହି ଅବସରରେ ଘରୁ ଘରୁ ଭାସି ଆସୁଛି ଏହି ପବିତ୍ର ସ୍ୱର। ଘରେ ଘରେ ଅରୁଆ ଚାଉଳ ପିଠଉର ସୁନ୍ଦର ସୁନ୍ଦର ଝୋଟି ଚିତା ସହ  ମା’ ଲକ୍ଷ୍ମୀଙ୍କ ଆଗମନକୁ ଚାହିଁ ବସିଛନ୍ତି ସବୁ ଓଡ଼ିଆ ପରିବାର। ପୂଜା ଘରେ ମାଣ ବସିବା ସହ ପିଠାପଣାରେ ମହକୁଛି ଚତୁର୍ଦିଗ।

କାଞ୍ଜି ଅଁଳା ଓଷା:

ଏପଟେ ଆଜି  କାଞ୍ଜି ଅଁଳା ଓଷା । କୃଷ୍ଣ ପକ୍ଷ ନବମୀ ତିଥୀରେ ଏହି ପୂଜା ପାଳନ କରାଯାଏ । ପ୍ରଥମାଷ୍ଟମୀ ପର ଦିନ ଏହି କାଞ୍ଜି ଅଁଳା ଓଷା କରାଯାଇଥାଏ। ଏହି ପୂଜା ଷଠି ଦେବୀଙ୍କ ପାଇଁ କରାଯାଏ।  ପିଲାମାନଙ୍କ ସୁରକ୍ଷା ପାଇଁ ଷଠି ଦେବୀଙ୍କୁ ପୂଜା କରାଯାଏ। ଷଠି ଦେବୀଙ୍କର ଆଉ ଏକ ପୂଜା ଅଛି, ଯାହାକୁ ଷଠି ଉଷା କୁହାଯାଏ । ସନ୍ଧ୍ୟାରେ ମହିଳାମାନେ ଏକତ୍ରିତ ହୋଇ ଏହି ପୂଜା କରନ୍ତି । ଏହି ପୂଜାରେ ଚକୁଳି ପିଠା, କାଞ୍ଜି ଏବଂ ପିତା ଶୁଖୁଆ ପୂଜା କରାଯାଏ। ୭ଟି ପିତା ଶୁଖୁଆକୁ କଦଳୀ ପତ୍ରରେ ରଖାଯାଇ ବୋହୁ ଭଳି ସଜାଯାଏ। ଯାହାକୁ ଶୁଖୁଆ ବୋହୁ କୁହାଯାଏ।  ପୂଜାରେ ମା’ଙ୍କୁ ଅର୍ପଣ କରାଯାଉଥିବା ଖାଦ୍ଯ ଗୁଡ଼ିକୁ ପ୍ରସାଦ କୁହାଯାଏ। ଚାଉଳରୁ ବାହାର କରାଯାଇଥିବା ପାଣିରୁ ଏହି କାଞ୍ଜି ପ୍ରସ୍ତୁତ କରାଯାଏ। ପନିପରିବା ଯଥା ମୂଳା, ଭଣ୍ଡା, କୋବି, ବିନ୍  ଇତ୍ୟାଦି  ପରିବା ସହ, ଡାଲି ମିଶାଇ ଚାଉଳ ପାଣିରେ ଫୁଟାଯାଏ । ଏହା ପରେ ପଞ୍ଚ ପୁଟଣରେ ବଘରା ଯାଇ କାଞ୍ଜି ପ୍ରସ୍ତୁତ କରାଯାଏ ।

ଏହା ପରେ ବାଲିରେ ଏକ ପୋଖରୀ ତିଆରି କରାଯାଏ । ଶୁଖୁଆ ବୋହୁକୁ ପୋଖରୀରେ ରଖାଯାଏ। ଚାଉଳ, କାଞ୍ଜି, ଏବଂ ଚକୁଲି ପିଠା ସବୁକୁ ପୂଜା ପାଇଁ ଏହାର ଚାରି ପାଖରେ ରଖାଯାଏ। ଏହା ପରେ କାଞ୍ଜି ଅଁଳା ଓଷା ବହି ପଢାଯାଏ । ଏହା ପରେ ମହିଳାମାନେ ବନ୍ଦାପନା କରି ପୂଜା ଶେଷ କରନ୍ତି।

Spread the love