ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

କଟକ: ସମଗ୍ର ଦେଶରେ ଆତ୍ମହତ୍ୟାର ହାର ୧୨ ପ୍ରତିଶତ ଥିବା ବେଳେ ଓଡିଶାରେ ଏହି ହାର ହେଉଛି ୧୨.୩ ପ୍ରତିଶତ। ଏବଂ ଯୁବବର୍ଗ (୧୮ରୁ ୩୦ ବର୍ଷ) ମଧ୍ୟରେ ଏହି ଆତ୍ମହତ୍ୟା ହାର ଏବେ ସର୍ବାଧିକ (୩୪.୫%)। ଅନ୍ୟପଟେ ପାଖପାଖି ୧୧ ହଜାର ୧୮ ବର୍ଷରୁ କମ ବୟସର କିଶୋରକିଶୋରୀ ୨୦୨୧ରେ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ବ ଆତ୍ମହତ୍ୟା ନିରୋଧକ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏଭଳି ଉଦବେଗଜନକ ତଥ୍ୟ ସାମନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଯେତେ ସଂଖ୍ୟାରେ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଉଛନ୍ତି ତାହାର କୋଡିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି।ଲ

ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିଲା ବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଗଲା ଦଶ ବର୍ଷ ହେଲା ଭାରତରେ ବି ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଥିପାଇଁ ଭାରତକୁ ଏବେ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ କୁହାଯାଉଛି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ୧,୬୪,୦୦୦ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ଭାରତରେ ସର୍ବାଧିକ ଆତ୍ମହତ୍ୟା ପ୍ରବଣ ରାଜ୍ୟ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର (୧୩.୫%), ତାମିଲନାଡୁ (୧୧.୫ %), ମଧ୍ୟପ୍ରଦେଶ (୯.୧%), ପଶ୍ଚିମବଙ୍ଗ (୮.୨%)। ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଓଡ଼ିଶାରେ ୫୬୫୧ ଜଣ ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ଏଥିରେ ରହିଛନ୍ତି ୪୪୧୨ ଜଣ ପୁରୁଷ ଓ ୧୨୩୯ ଜଣ ମହିଳା। ଅର୍ଥାତ ରାଜ୍ୟରେ ପ୍ରତିଦିନ ହାରାହାରି ଭାବେ ୧୫ ଜଣ ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୩.୪% ଲୋକ ହେଉଛନ୍ତି ଓଡ଼ିଶାର। ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି।

ଭାରତରେ ପାରିବାରିକ କଳହ(୩୩.୨%) ଯୋଗୁଁ ସର୍ବାଧିକ ଆତ୍ମହତ୍ୟା ଘଟୁଥିବା ବେଳେ ପରକୁ ପର ବିଭିନ୍ନ ରୋଗ (୧୮.୬%), ନିଶାଦ୍ରବ୍ୟ ସେବନ(୬.୪%), ବୈବାହିକ ସମ୍ପର୍କରେ ତିକ୍ତତା (୪.୮%), ପ୍ରେମ ସମ୍ପର୍କରେ ବିଫଳତା(୪.୬%), ଆର୍ଥିକ ସଙ୍କଟ(୪%), ବେରୋଜଗାରୀ(୨%), ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରି ଜନିତ ସମସ୍ୟା ଓ ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଘଟଣାକୁ ନେଇ ଆତ୍ମହତ୍ୟା ଘଟୁଛି। କିନ୍ତୁ ଓଡିଶାରେ ପାରିବାରିକ କଳହ ଯୋଗୁଁ ୭୧% ଲୋକ ଆତ୍ମହତ୍ୟା  କରୁଛନ୍ତି। ଏହା ଦେଶରେ ସର୍ବାଧିକ। ପାରିବାରିକ କଳହ ଯୋଗୁଁ ୨୦୨୧ରେ ଓଡ଼ିଶାରେ ୪୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ବୈବାହିକ ସମ୍ପର୍କରେ ତିକ୍ତତା ଯୋଗୁଁ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ୧୩୫ ଜଣ ଆତ୍ମହତ୍ୟା କରିଛନ୍ତି। ପ୍ରେମ ସମ୍ପର୍କରେ ବିଫଳତା ଯୋଗୁଁ ୧୩୨ ଜଣ ଆତ୍ମହତ୍ୟା କରିଛନ୍ତି ଓ ବିଭିନ୍ନ ରୋଗ ଯୋଗୁଁ ୯୧ ଜଣ ଆତ୍ମହତ୍ୟା କରିଛନ୍ତି।
ଏନ୍‌ସିଆରବିର ରିପୋର୍ଟ ଅନୁସାରେ ୨୦୨୧ରେ ଦେଶରେ ୧୩,୦୮୯ ଜଣ  ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ ୮୩୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କଠାରେ ଆତ୍ମହତ୍ୟାର ମୁଖ୍ୟ କାରଣ ଗୁଡିକ ମଧ୍ୟରେ ରହିଛି ପାଠପଢାର ଚାପ,  ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ବିଫଳତା।

ଏ ସଂପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କହିବା ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିରୋଧକ ସଂଘର ମିଳିତ ଆନୁକୁଲ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖରେ ବିଶ୍ୱ ଆତ୍ମହତ୍ୟା ନିରୋଧକ ଦିବସ ପାଳନ କରାଯାଇଥାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା। ଯଦି ନିଜ ପରିବାର କିମ୍ବା ନିଜର କୌଣସି ନିକଟତର ବ୍ୟକ୍ତିଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଯାଉ ଥାଏ, ତେବେ ତାଙ୍କୁ  ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେବା ଆବଶ୍ୟକ। ତାଙ୍କ ସହିତ ଆଲୋଚନା କରିବା, ତାଙ୍କ ମନର ଭାବନା ଓ ସମସ୍ୟା ସମ୍ବନ୍ଧରେ ଜାଣିବା ସହ ତାଙ୍କୁ ଉତ୍ସାହିତ କରିବାକୁ ଡାକ୍ତର ମହାପାତ୍ର ପରାମର୍ଶ ଦେବା ସହିତ ତାଙ୍କ ବ୍ୟବହାର ଉପରେ ନଜର ରଖି, ତାଙ୍କୁ କୌଣସି ସମୟରେ ଏକୁଟିଆ ନ ଛାଡିବା ଉଚିତ ବୋଲି କହିଛନ୍ତି। ଛାତ୍ରଛାତ୍ରୀ ମାନେ ନିଜ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମସଞ୍ଜମ  ବଢାଇବାକୁ ମଧ୍ୟ ଡାକ୍ତର ମହାପାତ୍ର ପରାମର୍ଶ ଦେଇଛନ୍ତି।

Spread the love