ଆଜି ମହାନଦୀ ଜଳବିବାଦ ଶୁଣାଣି

ନୂଆଦିଲ୍ଲୀ ୨୬।୦୬:  ଆଜି ମହାନଦୀ ଜଳବିବାଦ ଶୁଣାଣି । ଓଡ଼ିଶା -ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍ . ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଆଜି ୨୧ତମ ଶୁଣାଣି ହେବ ।

କରୋନା ପାଇଁ ଗତ ଏପ୍ରିଲ୍ ୧୦ ଓ ମେ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଆଜି ଭର୍ଚୁଆଲରେ ଶୁଣାଣି କରିବେ ଟ୍ରିବ୍ୟୁନାଲ । ଶୁଣାଣି ପୂର୍ବରୁ ଗତ ୨୪ ରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପୁଣିଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ ଲୋଡ଼ାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଛତିଶଗଡ଼ ଦ୍ବାରା ଲେଖାଯାଇଥିବା ପତ୍ରର ଉତ୍ତର ଦିଆଯାଇପାରେ । ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି।

ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲ୍ ର ପ୍ରଥମ ୩ ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇ ଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି। ଟ୍ରିବ୍ୟୁନାଲ୍ ଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କମନ୍ ଇନଫର୍ମେଶନ ଫର୍ମାଟ୍ କୁ ମୂଳ ମାମଲାରେ ଚୂଡ଼ାନ୍ତ ହୋଇ ସାରିଥିବା ୪୭ଟି ପ୍ରସଙ୍ଗ ସହିତ ଲିଙ୍କ୍ କରାଯାଇଛି। ଆଜି ଏହାକୁ ଟ୍ରିବ୍ୟୁନାଲ୍ ଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇପାରେ। ଅନୁମୋଦନ ପାଇଲା ପରେ ପକ୍ଷଭୁକ୍ତ ରାଜ୍ୟମାନେ ଏଥିରେ ମହାନଦୀ ଜଳ ସଂପର୍କିତ ସମସ୍ତ ତଥ୍ୟ, ନଥିପତ୍ର ସାମିଲ କରିବେ।

Spread the love