ଓଡିଶାବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଓହରି ଯିବା ଉଚିତ୍‌: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,ତା.୧୩/୦୨: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତି ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”? ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ରହିଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ ହୋଇ ଚଳଚିତ୍ର ନିର୍ମାଣ କରାଯିବା ଭଳି ରାଜ୍ୟରେ ମଧ୍ୟ ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ କରାଯାଇ ପରେ କ୍ରାଇମ କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ । ଗତ କିଛି ବର୍ଷ ହେଲା ରାଜ୍ୟରେ ସାଇବର କ୍ରାଇମ, ଶିଶୁ ଅପହରଣ, ଲୁଟ୍‌, ଧର୍ଷଣ ଓ ହତ୍ୟା ଭଳି ଅପରାଧ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଜାତୀୟ ସ୍ତରରେ ଓଡିଶାର ସ୍ଥାନ ସର୍ବାଗ୍ରେ ରହିଥିବାର ଏନସିଆରବି ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି । ଏପରିକି ବିଧାନସଭାରେ ମଧ୍ୟ ରାଜ୍ୟ ସରକାର ନିଜେ ସ୍ୱୀକାର କରିଛନ୍ତି । ୨୩ ବର୍ଷ ଧରି ଓଡ଼ିଶାର ଗୃହମନ୍ତ୍ରୀ ଦାୟୀତ୍ୱରେ ଥିବା ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜ ନୈତିକତା ହରାଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ପଦରୁ ଓହରି ଯିବା ଉଚିତ୍ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ହତ୍ୟା କରିଥିଲେ । ସେହିପରି ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗର ପୋଲିସ ଅଧିକାରୀ ଜଣକ ଗୁଳି କରି ହତ୍ୟା କଲେ । ଏଭଳି ସମ୍ବେଦନଶୀଳ ହତ୍ୟାର ତଦନ୍ତ ମଧ୍ୟ ସେହି ଗୃହ ବିଭାଗର କ୍ରାଇମବ୍ରାଂଚ ଦ୍ୱାରା କରାଗଲା । ମୁଖ୍ୟମନ୍ତ୍ରୀଙ୍କର ଗୃହବିଭାଗ, ପୋଲିସ ଡିଜି, ଗୃହ ବିଭାଗ ସଚିବ ପ୍ରମୁଖ ସ୍ୱର୍ଗତଃ ଦାସଙ୍କ ମୃତ୍ୟୁର ତଦନ୍ତ କରିବା କଥା କିନ୍ତୁ ତାହା ହେଲା ନାହିଁ । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୈାଣସି ସତ୍ୟାସତ୍ୟ ସାମ୍ନାକୁ ଆସିଲା ନାହିଁ । ବରଂ ଅତୀତରେ ଶୁଣିବାକୁ ମିଳିଥିବା ‘ଜାମୁକୋଳି’, ‘ପୋଖରୀରେ ଲେଗ୍ ଗିନ୍ସ’ ଗପ ଭଳି ଏଥର ମଧ୍ୟ ‘ପାଇଖାନା ଟାଙ୍କିରୁ ଚିଠି’ ମିଳିବାର ଗପ ରାଜ୍ୟବାସୀ ଶୁଣିବାକୁ ପାଇଲେ । ଜଣେ କ୍ୟାବିନେଟ ସହଯୋଗୀଙ୍କୁ ହରାଇଥିବା ରାଜ୍ୟ ସରକାର କ୍ୟାବିନେଟରେ ଶୋକ ମଧ୍ୟ ପରିପ୍ରକାଶ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଏଭଳି ଘଟଣା ବିଶ୍ୱରେ ବିରଳ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତ୍ୟେକ ଦିନ ବିପର୍ଯ୍ୟସ୍ତ ହେଉଛି ବୋଲି ଓଡ଼ିଶାବାସୀ ହୃଦୟଙ୍ଗମ କରୁଛନ୍ତି । ଗତ ୨ ରୁ ୩ବର୍ଷ ହେବ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯେଉଁ ନୂଆ ଘଟଣାମାନ ଘଟୁଛି, ତାହା ଅତୀତରେ କେବେହେଲେ ଓଡ଼ିଶାରେ ଦେଖା ଯାଉନଥିଲା । ସାଧାରଣ ଲୋକଟି ନ୍ୟାୟ ପାଇବା ଆଶାରେ ପୋଲିସ ପାଖକୁ ଗଲେ, ତାର ଏତଲାକୁ ପୋଲିସ ଗ୍ରହଣ କରୁନାହିଁ । ନ୍ୟାୟାଳୟର ହସ୍ତକ୍ଷେପ ପରେ ପୋଲିସ ଏତଲାକୁ ଗ୍ରହଣ କରୁଛି ସତ, କିନ୍ତୁ ତଦନ୍ତର ଫଳାଫଳ ସନ୍ଦେହ ଘେରରେ ରହୁଛି । ମାନ୍ୟବର ନ୍ୟାୟାଳୟଙ୍କୁ ଅପବ୍ୟବହାର କରୁଛନ୍ତି ରାଜ୍ୟ ସରକାର । ମମିତା ମେହେର ହତ୍ୟାକାଣ୍ଡଠାରୁ ଆରମ୍ଭ କରି ବର୍ତମାନର ଆନନ୍ଦପୁର ଓ ତିର୍ତୋଲ ବିଧାୟକ ଘଟଣା, ପିପିଲି, କାଶୀପୁର ଆଦି ଘଟଣାମାନ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ପୋଲିସ ବିଭାଗର ମନୋମୁଖୀ କାର୍ଯ୍ୟକଳାପର ମୁଖ ସାକ୍ଷୀ । ରାଜନୀତିର ଅପରାଧିକରଣ ପାଇଁ ଶାସକ ଦଳ ସଂପୂର୍ଣ୍ଣ ଦାୟୀ ଏବଂ ଏଥିରେ ଅମଲାତନ୍ତ୍ରକୁ ମଧ୍ୟ ସାମିଲ କରାଯାଉଛି । ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ କ୍ରାଇମ ତଥ୍ୟ ଲୁଚାଇବା କାର୍ଯ୍ୟରେ ଲଗାଯାଉଛି । ଅପରାଧି ଏବଂ ସାକ୍ଷୀମାନଙ୍କୁ ଦୁର୍ଘଟଣା, ଆତ୍ମହତ୍ୟା ଜରିଆରେ ହତ୍ୟା କରାଯାଉଛି । ଏପରିକି ପୋଲିସ ଓ ଜେଲ୍ ଭିତରେ ହତ୍ୟା କରାଯାଇ ମୂଳ ତଥ୍ୟକୁ ଲୁଚାଯାଉଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ଲୋକେ ବିଶ୍ୱାସ କରି ଶାସନ ଗାଦିରେ ବସାଇଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଓ ପୋଲିସ ବିଭାଗ ତାହାର ଅପବ୍ୟବହାର କରିଥିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟି ଯାଉଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ସ୍ୱର୍ଗତଃ ଦାସଙ୍କ ହତ୍ୟା ଓଡ଼ିଶା ରାଜନୀତିରେ ଏକ ବିରଳ ଘଟଣା ଏବଂ ସାଧାରଣ ଜନତା ଏହାର ସତ୍ୟାସତ୍ୟକୁ ଜାଣିବାର ନିହାତି ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାର ନିଜେ ତଦନ୍ତ କରିବା ଆଳରେ ମିଛ ଗପ ଶୁଣାଉଛନ୍ତି । ଓଡ଼ିଶାରେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ଥାଣୁ ପାଲଟିଯାଇଛନ୍ତି । ଓଡିଶାରେ ଯଦି ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା ନକହିବା ଭଲ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସାଡେ ଚାରି କୋଟି ଓଡିଶାବାସୀଙ୍କ ଆସ୍ଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ତୁଟିଯାଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ଆସନ୍ତା ୧୪, ୧୫, ୧୬ ରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ୧୫ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ତାରିଖ ଦିନ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବୀ କରି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ବିଜେପି ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଅଧିକ ଶାଣିତ କରିବା ସହ ଗାଁ, ପଂଚାୟତ, ବ୍ଳକରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love