ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଅପେକ୍ଷାରେ ସିଂହଦ୍ବାର ସମ୍ମୁଖରେ ରହିଛି ୩ ରଥ । ଆଉ ବର୍ଷକ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ୧୯୭୧ ମସିହା ପରେ ଏଭଳି ବିରଳ ରଥଯାତ୍ରା ଅନୁଷ୍ଠିତ ହେଉଛି। ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା। ବିରଳ ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି । ବିଳମ୍ବିତ ରାତିରୁ ଚାଲିଛି ନୀତିକାନ୍ତି।

ଅପରାହ୍ଣ ଗୋଟାଏରେ ତିନି ଠାକୁରଙ୍କ ପହଣ୍ଡି ହେବ। ପହଣ୍ଡି ପରେ ହେବ ଛେରା ପହଁରା ନୀତି। ସାଢ଼େ ୨ଟା ସୁଦ୍ଧା ସରିବ ଛେରା ପହଁରା ନୀତି। ଅପରାହ୍ଣ ୫ଟା ଆରମ୍ଭ ହେବ ରଥଟଣା। ଶୃଙ୍ଖଳିତ ରଥଯାତ୍ରା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ବ୍ୟାପକ ପ୍ରସ୍ତୁତି ହୋଇଛି। ସେହିପରି ଆଜି ପୁରୀ ଯାଇ ରଥଟଣା ଦେଖିବେ ରାଷ୍ଟ୍ରପତି । ଓଡ଼ିଆଙ୍କ ପରିଚୟ ଜଗନ୍ନାଥଙ୍କ ପାଖରେ ପ୍ରଣତି ବାଢ଼ିବେ । ସେଥିପାଇଁ ରଥରେ ପ୍ରବଳ ଭିଡ଼ ଓ ମହାମହିମଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

ଚଳିତ ଥର ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ଉପରେ ରହିବ କଡ଼ା ନଜର । ୧୮ ଟି ପାର୍କିଂ ସ୍ଥଳକୁ ଚିହ୍ନଟ କରାଯାଇଛି । ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଫଙ୍କସନ ସହ ବେଳାଭୂମି ସୁରକ୍ଷା ଉପରେ ମଧ୍ୟ ରହିବ ନଜର । ୧୮୦ ପ୍ଲାଟୁନ ପୋଲିସ୍ ଫୋର୍ସ , ୨ ପ୍ଲାଟୁନ ଓଏସଏଏଫ୍ ଓ ୫ ପ୍ଲାଟୁନ ଆରଏଏଫଙ୍କ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ସେଇଭଳି ବେଳାଭୂମିରେ ମୁତୟନ ହେବ ଅତିରିକ୍ତ ୪୦୦ ଲାଇଫ ଗାର୍ଡ । ସିଂହଦ୍ବାରରେ ଦଣ୍ଡାୟମାନ ତିନି ରଥ ଏବେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷାରତ ।

Spread the love