ଆଜି ସମବାୟ ସମିତି ନିର୍ବାଚନ

ଭୁବନେଶ୍ବର: ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତି ପରିଚାଳନା କମିଟି ସଦସ୍ୟ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୧୫ଟି ନିର୍ବାଚନ ମଣ୍ଡଳୀର ନିର୍ଦେଶକ ପଦ ପାଇଁ ଭୋଟ ଗ୍ରହଣ କରାଯିବ। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସମବାୟ ସମିତିର ସଦସ୍ୟ ଭୋଟ ଦେଇ ନିର୍ଦେଶକ ବାଛିବେ। ଗୋଟିଏ ନିର୍ବାଚନ ମଣ୍ଡଳୀରେ ୨୭୦ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ୧୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨, ୪ ଏବଂ ୧୫ ନିର୍ବାଚନ ମଣ୍ଡଳୀର ନିର୍ଦେଶକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବାକି ୧୨ ନିର୍ବାଚନ ମଣ୍ଡଳୀର ମତଦାନ ପାଇଁ ଭୋଟ ଗ୍ରହଣ କରାଯିବ। ୭୩୧ ସମିତି ମଧ୍ୟରୁ ପ୍ରାୟ ୨୪୪ ସମିତି ସମ୍ବେଦନଶୀଳ ବୋଲି ଜଣାପଡିଛି। ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରାଥମିକ ସମବାୟ ସମିତି ବ୍ୟାଙ୍କର ନିର୍ବାଚନ ୧୯ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ୨୬ ତାରିଖରେ ରାଜ୍ୟର ପ୍ରାୟ ୯ଟି ଅର୍ବାନ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍କଳ ସମବାୟ ବ୍ୟାଙ୍କର ନୂତନ ପରିଚାଳନା କମିଟି ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ତିନୋଟି ଦଳ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଗୋଟିଏପଟେ ସମବାୟ ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିବା କିଛି ବ୍ୟକ୍ତି ପ୍ରାର୍ଥୀ ହୋଇଥିବାରୁ ତାକୁ ନେଇ ବିରୋଧାଭାସ ଉଠିଛି। ଆର୍ଥିକ ବର୍ଷ ୨୦୧୫-୨୦୨୦ ଅବଧିର ପରିଚାଳନା କମିଟି ଏଥର ୧୫ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି।ଦୁର୍ନୀତି ଅଭିଯୋଗ ହୋଇଥିବା ବ୍ୟକ୍ତି ସମବାୟ ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେଇ ବିବାଦ ତେଜିଛି। ରାଜଧାନୀ ଗୃହ ନିର୍ମାଣ ସମବାୟ ନିର୍ବାଚନରେ ନିର୍ଦେଶକ ପଦବୀ ପାଇଁ ହୋଇଥିବା ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୂର୍ବତନ ବୋର୍ଡ ସଦସ୍ୟ। ଆଜି ଜାଗମରାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ଉପସଭାପତି ଓ ନିର୍ଦେଶକଙ୍କ ଦୁର୍ନୀତିର ଗୁମର ଖୋଲିଛନ୍ତି ବୋର୍ଡର ପ୍ରାଥମିକ ସଦସ୍ୟମାନେ। ଏସବୁ ଘଟଣାର ପ୍ରମାଣ ତଥ୍ୟକୁ ସମବାୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ସେମାନଙ୍କ ନାମାଙ୍କନ ରଦ୍ଦ କରିବା ସହିତ ନିର୍ବାଚନରୁ ଦୂରେଇ ରଖିବା ଓ ମୁକ୍ତ ନିର୍ବାଚନ ପାଇଁ ସଦସ୍ୟଙ୍କ ପ୍ରାର୍ଥନାକୁ ନିର୍ବାଚନ ଅଧିକାରୀ ଅଗ୍ରାହ୍ୟ କରି ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ପ୍ରାଥମିକ ସଦସ୍ୟ ଜେକେରା ମହମ୍ମଦ, ଅକ୍ଷୟ କୁମାର ପାତ୍ର, ଚିତ୍ତରଞ୍ଜନ ଜେନାଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Spread the love