୨୪ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୬/୦୭: ରାଜ୍ୟରେ ବର୍ଷା ଜାରି ରହିବ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ରବିବାରଠାରୁ ରାଜ୍ୟରେ ଲଘୁଚାପର ପ୍ରଭାବ କମିବା ସହ ବର୍ଷା ବି କମିଯିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଇଛି । ଶନିବାର କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ୧୭ ଓ ୧୮ ଦୁଇ ଦିନ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ଶୁକ୍ରବାର ଗୋପାଳପୁରରେ ୧୫୫ ମିଲିମିଟର, ରିଆମାଳରେ ୭୨ ମିଲିମିଟର, ଆନନ୍ଦପୁରରେ ୫୫.୬, ଘସିପୁରାରେ ୭୭, ଦେଓଗାଁରେ ୧୨୭, ହରଭଙ୍ଗାରେ ୬୦, କଳିଙ୍ଗାରେ ୭୦, ଫୁଲବାଣୀରେ ୯୧, ଟିକାବାଲିରେ ୭୪, ସମ୍ବଲପୁରରେ ୫୭, ଚକାପଦାରେ ୭୦, ଧରାକୋଟରେ ୬୩ ମିମି ବର୍ଷା ହୋଇଛି ।

Spread the love