ଆଜି ବିଶ୍ୱ ପରିବେଶ ଦିବସ

ପୃଥିବୀକୁ କମ୍ବଳ ସଦୃଶ ଘୋଡ଼େଇ ରଖିଥିବା ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ବଢ଼ିବଢ଼ି ଚାଲିଛି। ବାୟୁମଣ୍ଡଳକୁ ଗୁରୁତ୍ବ ନଦେଇ ମଣିଷ ମନଇଚ୍ଛା ଦୂଷିତ କରିଚାଲିଛି। ପ୍ରକୃତି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ହୁଏତ ସମ୍ଭବ ନୁହେଁ କିନ୍ତୁ ମନୁଷ୍ୟକୃତ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ। ଏବେ ଏହାକୁ ପ୍ରତିହତ ନକଲେ ପରପିଢ଼ି ପାଇଁ ବଡ଼ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ। ଟଙ୍କା ଥାଇ ବି ମନୁଷ୍ୟ ନିଜ ପାଇଁ ଅମ୍ଳଜାନ କିଣିବା ଅସମ୍ଭବ ହୋଇପଡ଼ିବ। ମିଳିତ ଜାତିସଂଘର ବିବରଣୀ ମୁତାବକ ଏବେ ପ୍ରତି ୫ ବର୍ଷରେ ବିଶ୍ବର ଉତ୍ତାପ ୧ ଡିଗ୍ରି ସେଲସିୟସ ବୃଦ୍ଧି ପାଉଛି। ପିଏମ୍ ୧୦ ମାଇକ୍ରନ୍ରୁ କମ୍ ଆକାରର କଣିକା ଯଥା ପିଏମ୍ ୨.୫ ଆମ ଶରୀରରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରୁଛି।

ଫଳରେ ପ୍ରତି ଘଣ୍ଟାରେ ବାୟୁ ପ୍ରଦୂଷଣ ଜନିତ ରୋଗ ମନୁଷ୍ୟ ଶରୀରରେ ସୃଷ୍ଟି ହେଉଛି। ଶିଳ୍ପକେନ୍ଦ୍ର, ସହରାଞ୍ଚଳ ବୃଦ୍ଧି, ପରିବହନ, ଏଣେତେଣେ ପରିତ୍ୟକ୍ତ ଭାବେ ଅଳିଆ ପଡ଼ି ରହିବା, କୃଷି କ୍ଷେତ୍ରରୁ ଉତ୍ପନ୍ନ ବାୟୁ ପ୍ରଦୂଷଣ, କୃଷି ଜାତ ଅଦରକାରୀ ପଦାର୍ଥ ଓ ଅନ୍ୟ ସବୁ ବର୍ଜ୍ୟକୁ ପୋଡ଼ିଦେବା, ଜନସଂଖ୍ୟା ବୃଦ୍ଧିକୁ ପ୍ରତିହତ କରି ନପାରିଲେ ବାୟୁ ପ୍ରଦୂଷଣକୁ ରୋକିବା ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍‌ ଏନ୍‌ଭିରୋନ୍‌ମେଣ୍ଟ୍‌ ଷ୍ଟଡିଜ୍‌ର ନିର୍ଦେଶକ ଡ.ଆଶୁତୋଷ ଦେବତା କହିଛନ୍ତି। ବିଶେଷକରି ଓଡ଼ିଶାର ତଥ୍ୟକୁ ଯଦି ଦେଖାଯାଏ, ୨୦୧୭-୧୮ରେ ମୋଟର ଯାନରୁ ୧୫୪୪.୫୯ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ଯାହାକି ୨୦୧୬-୧୭ଠାରୁ ୨୬ ପ୍ରତିଶତ ଅଧିକ।

ଏଥିସହ ମଣିଷର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ଅଳିଆ ଆବର୍ଜନା ଯେଉଁ ପରିମାଣରେ ବୃଦ୍ଧି ପାଉଛି ଏହା ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରାକୁ ବୃଦ୍ଧି କରୁଛି। ଚଳିତ ବର୍ଷ ବିଶ୍ବ ପରିବେଶ ଦିବସର ବିଷୟବସ୍ତୁ ରହିଛି ‘ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ବା ପରାସ୍ତ କରିବା’। ଅର୍ଥାତ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଆହ୍ବାନ ପାଲଟିଛି। ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ପ୍ରକ୍ରିୟା ଆରମ୍ଭ ନହୁଏ ଏବଂ ସାଧାରଣ ଜନତା ଏ ବାବଦରେ ସଚେତନ ନହୁଅନ୍ତି ବିଷମ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ଡ.ଦେବତା କହିଛନ୍ତି।

Spread the love