ଆଜି ମହାମୁକାବିଲା: ୧୫ ମିନିଟ୍‌ର ଏୟାର ସୋ’

ଲେଜର ଲାଇଟ୍‌ ସୋ’
ଖେଳ ଶେଷ ହେବା ପରେ ବିଜୟ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଲେଜର ଲାଇଟ୍‌ ସୋ’ ମଧ୍ୟ ରଖାଯାଇଛି। ଲେଜର ସୋ’ ମାଧ୍ୟମରେ ବିଭିନ୍ନ ବିଶ୍ବକପ୍‌ ବିଜେତା ଦଳଗୁଡ଼ିକଙ୍କ ନାମ ଓ ଟ୍ରଫିକୁ ଆକାଶରେ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୨୦୦ ଲାଇଟ୍‌ର ବ୍ୟବହାର ହେଉଥିବା ସୂଚନା ଦିଆଯାଇଛି। ଲେଜର ସୋ’ ସହିତ ରାତିରେ ଆତସବାଜି ମଧ୍ୟ କରାଯିବାକୁ ଯୋଜନା ରହିଛି। ବିଶ୍ବକପ୍‌ ଉଦ୍‌ଯାପନ ପାଇଁ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗବିରଙ୍ଗର ବାଣ ଫୁଟାଯିବ।

୧୫ ମିନିଟ୍‌ର ଏୟାର ସୋ’
ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌ ତରଫରୁ ବିଶ୍ବକପ୍‌ ଫାଇନାଲ୍‌ ପୂର୍ବରୁ ୧୫ ମିନିଟ୍‌ର ଏୟାର ସୋ’ ପ୍ରଦର୍ଶନ କରାଯିବ। ଏହି ଏୟାର ସୋ’ ଦିନ ୧.୩୫ ମିନିଟ୍‌ରେ ଆରମ୍ଭ ହେବ। ଫ୍ଲାଇଟ୍‌ କମାଣ୍ଡର ଓ ଡେପୁଟି ଟିମ୍‌ ଲିଡର ୱିଙ୍ଗ କମାଣ୍ଡର ସିଦେଶ କାର୍ତ୍ତିକଙ୍କ ନେତୃତ୍ବରେ ୯ଟି ବିମାନ ଅହମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିବେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଉପରେ ଭର୍ଟିକାଲ୍‌ ସୋ’ କରିବା ସହ ଦର୍ଶକମାନଙ୍କୁ ଏକ ଅଭୁଲା ଅଭିଜ୍ଞତା ପ୍ରଦାନ କରିବ। ଏୟାର ସୋ’ ପୂର୍ବରୁ ଶନିବାର ଏହାର ରିହରସାଲ କରାଯାଇଛି। ପ୍ରଥମ ଥର ପାଇଁ ବିଶ୍ବକପ୍‌ ମ୍ୟାଚ୍‌ ସମୟରେ ଏପରି ଏୟାର ସୋ’ କରାଯାଉଥବା କୁହାଯାଇଛି।

ଫାଇନାଲ୍‌ରେ ଖେଳିବା ଓ ଅମ୍ପାୟାରିଂ କରିବାରେ  ଇଲିଂୱର୍ଥ ଦ୍ବିତୀୟ
ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଓ ରିଚାର୍ଡ କେଟଲବରୋ ପଡ଼ିଆ ଭିତରେ ଖେଳ ପରିଚାଳନା କରିବେ। ତେବେ ଇଲିଂୱର୍ଥ ଏହି ମ୍ୟାଚ୍‌ ପରିଚାଳନା କରିବା ପରେ ଏକ ବିରଳ ମାଇଲ୍‌ଖୁଣ୍ଟରେ ପହଞ୍ଚିବାକୁ ଯାଉଛନ୍ତି। ବିଶ୍ବକପ୍‌ର ଏକ ଫାଇନାଲ୍‌ରେ ଖେଳାଳି ହୋଇ ଖେଳିବା ପରେ ଆଉ ଏକ ଫାଇନାଲ୍‌ରେ ଅମ୍ପାୟାର ହୋଇ ମ୍ୟାଚ୍‌ ପରିଚାଳନା କରିବାରେ ସେ ଦ୍ବିତୀୟ ବ୍ୟକ୍ତି ହେବାକୁ ଯାଉଛନ୍ତି। ୧୯୯୨ ଫାଇନାଲ୍‌ରେ ସେ ଇଂଲଣ୍ଡ ଦଳର ସଦସ୍ୟ ଥିଲେ। ଫାଇନାଲ୍‌ରେ ୧୦ ଓଭର ବୋଲିଂ କରିବା ସହ ୫୦ ରନ୍‌ ବ୍ୟୟ କରି କେବଳ ଜାଭେଦ ମିଆଁଦାଦ୍‌ଙ୍କ ୱିକେଟ୍‌ ନେଇଥିଲେ। ଏବେ ସେ ଅମ୍ପାୟାର ଭାବେ ରବିବାର ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବେ। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର କୁମାର ଧର୍ମସେନା ୧୯୯୬ ବିଶ୍ବକପ୍‌ ଫାଇନାଲ୍‌ରେ ଖେଳିଥିଲା ବେଳେ ୨୦୧୯ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବାରେ ପ୍ରଥମ ବ୍ୟକ୍ତି ହୋଇଥିଲେ। ତେବେ ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ଉପରୋକ୍ତ ଦୁଇ ଅମ୍ପାୟାରଙ୍କ ବ୍ୟତୀତ ଜୋଏଲ୍‌ ୱିଲସନ୍‌ ତୃତୀୟ ଅମ୍ପାୟାର, ଖ୍ରୀସ୍‌ ଗାଫାନି ଚତୁର୍ଥ ଅମ୍ପାୟାର ଓ ଆଣ୍ଡି ପାଏକ୍ରଫ୍ଟ ମ୍ୟାଚ୍‌ ରେଫରି ଦାୟିତ୍ବରେ ରହିବେ।

Spread the love