ଆହୁରି ୨ ମାସ ମହଙ୍ଗା ରହିବ ଟମୋଟା ଦର

ନୂଆଦିଲ୍ଲୀ : ବିଗତ କିଛି ସପ୍ତାହ ହେଲା ଦେଶରେ ଟମାଟୋ ଦର ଆକାଶଛୁଆଁ ରହିଛି । ଏହା ସାଧାରଣ ଖାଉଟିଙ୍କ ନିଦ ହଜାଇ ଦେଇଛି । ଦେଶର କେତେକ ରାଜ୍ୟରେ ଟମୋଟା ଦର କିଲୋଗ୍ରାମ ପିଛା ୨୫୦ ଟଙ୍କା ବି ଟପିଗଲାଣି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ ପର୍ଯ୍ୟନ୍ତ ଟମାଟୋ ଦର ଏପରି ମହଙ୍ଗା ସ୍ତରରେ ରହିଥିବ ? ନ୍ୟାସନାଲ କମୋଡିଟିଜ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ୍ (ଏନସିଏମଏଲ୍)ର ପରିଚାଳନା ନିର୍ଦେଶକ ସଞ୍ଜୟ ଗୁପ୍ତା ଟମାଟୋ ଦରରେ ଅହେତୁକ ବୃଦ୍ଧିର କାରଣ ବର୍ଣ୍ଣନା କରିଛନ୍ତି। ଖରାପ ପାଗ ଓ ଫସଲ ନଷ୍ଟ ଯୋଗୁଁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି। ମୌସୁମୀ ସକ୍ରିୟ ହେଉଥିବାରୁ ଅତ୍ୟଧିକ ବର୍ଷା ଓ ପରବର୍ତ୍ତୀ ଜଳବନ୍ଦୀ ଯୋଗୁଁ ଟମାଟୋ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ବଜାରରେ ଯୋଗାଣର ଅଭାବ ଦେଖାଦେଇଛି । ଦେଶର କେତେକ ଟମାଟୋ ଉତ୍ପାଦନକାରୀ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଟମୋଟୋ ଫସଲ ନଷ୍ଟ ହୋଇଛି । ଏଣୁ ନୂଆ ଫସନ ନ ଆସିବା ପର୍ଯ୍ୟନ୍ତ ବଜାରରେ ଟମାଟୋ ମହଙ୍ଗା ରହିବ । ତେବେ ବଜାରକୁ ନୂଆ ଫସଲ ଆସିବାକୁ ଆହୁରି ଦେଢରୁ ୨ ମାସ ସମୟ ଲାଗିଯିବ । ଏଣୁ ସେତେଦିନ ପର୍ଯ୍ୟନ୍ତ ଦେଶରେ ଟମାଟୋ ଦର ମହଙ୍ଗା ରହିବ ବୋଲି ସେ କହିଛନ୍ତି ।

Spread the love