ଟ୍ରାଫିକ ଧରପଗଡ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ଜନ ଅସନ୍ତୋଷ ବ୍ୟାପିବା ପରେ ଗାଡି ଯାଞ୍ଚ ଧରପଗଡରେ ରୋକ ଲାଗାଇଛନ୍ତି ମୁଖ୍ୟମନ୍ତ୍ରୀ ।  ସଂଶୋଧିତ ମଟରଯାନ ଆଇନ୍ ଲାଗୁ ହେବା ପରେ କଡାକଡି ଗାଡି ଯାଞ୍ଚକୁ  ୩ ମାସ କୋହଳ କରିଛନ୍ତି। ଲୋକଙ୍କୁ ସଚେତନତା କରିବା ସେମାନଙ୍କ ଅଭିଯୋଗକୁ କ୍ୟାମ୍ପ ଜରିଆରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏପଟେ ସରାକାରଙ୍କ ଏଭଳି ୟୁଟର୍ଣ୍ଣ ଦେଖି ବିରୋଧୀ  ଘେରିଛନ୍ତି । ତିନି ମାସ ପାଇଁ ବନ୍ଦ ହେଲା ଧରପଗଡ।  ସଂଶୋଧିତ ମଟୋରଯାନ ଆଇନ ଲାଗୁ ନେଇ ଗାଡି ଚାଳକଙ୍କୁ ବୁଝାଇବାକୁ ଏନଫୋର୍ସମେଣ୍ଟ  ଏଜେନ୍ସିକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।   ଏହି  ତିନି ମାସ ଭିତରେ ଗାଡି ଚାଳକ ମାନେ ସେମାନଙ୍କ ଆବଶ୍ୟକୀୟ କାଗଜପତ୍ର ଠିକ କରିନେବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।  ଏପଟେ ଗାଡି ଚାଳକମାନଙ୍କୁ  ଗାଡି କାଗଜ ପତ୍ର ଠିକ କରିବା ପାଇଁ ଜନସେବା​ କେନ୍ଦ୍ର‌ ଗୁଡିକୁ ସଜାଡିବା ସହ ଏକାଧିକ କାଉଣ୍ଟର ଖୋଲିବା ଏବଂ କ୍ୟାମ୍ପ କରି ଲୋକଙ୍କ ଅଭିଯୋଗକୁ ଦୂର କରିବାକୁ  ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ମଟର ଯାନ ଆଇନ୍ ଲାଗୁ ହେବା ପରେ ଭୁବନଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ଲୋକମାନେ  ଯେଉଁ ଭଳି ଭାବେ ପ୍ରତିକ୍ରିୟା ପ୍ରକାଶ କଲେ ସେଥିପାଇଁ ଉଦବେଗ ପ୍ରକାଶ କରିବା ସହ  ଗାଡିଚାଳକମାନଙ୍କୁ  ବେପାରୁଆ ଭାବେ ଗାଡି ନ ଚଳାଇବା ଏବଂ ନିୟମ ମାନିବାକୁ  ଆହ୍ବାନ ଦେଇଛନ୍ତି । ଏପଟେ  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ନିୟମରେ ପରିବର୍ତ୍ତନ କରିବାକୁ ସରକାର ଉଦ୍ୟମ କରୁଛନ୍ତି।

ସଂଶୋଧିତ ମଟରଯାନ ଆଇନ୍ ଲାଗୁ ହେବା ପରଠାରୁ ପ୍ରତିଦିନ କିଛି ନା କିଛି ଅସନ୍ତୋଷ ମୁଣ୍ଡ ଟେକୁଥିଲା। ଆଉ ଶନିବାର ଭୁବନେଶ୍ବର ରାଜମହଲ ଘଟଣା ସବୁ ସୀମା ଟପିଯାଇଥିଲା। ଏବେ ସରକାର କୋହଳ ହୋଇଥିବା ବେଳେ ବିରୋଧୀ କିନ୍ତୁ ଆକ୍ରମଣ ମୁଦ୍ରାରେ ଠିଆ ହେଲେଣି। ଘର ବୁଡି ପାଣି ଆଣ୍ଠୁଏ ହେବା ପରେ ସରକାରଙ୍କ ଚେତା ପସିଛି ବୋଲି ବିଜେପି କହିଛି । ଲାଗୁ ପୂର୍ବରୁ ସରକାର ଯଦି ବୁଝିବିଚାରି ତର୍ଜମା କରି ଏହି ଆଇନ୍ ଲାଗୁ କରିଥାନ୍ତେ ଏଭଳି ଅବସ୍ଥା ଉପୁଜିନଥାନ୍ତା ବୋଲି  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ଏପଟେ କଂଗ୍ରେସ କହିଛି ସରକାର ତରବରିଆ ଭାବେ ଏହି ଆଇନ୍ ଲାଗୁ କରିବାର ନଥିଲା​‌। କଡ଼ା ଚେକିଂ ସିନା କୋହଳ ହୋଇଛି କିନ୍ତୁ ଗାଡ଼ି ଚାଳକ ଯଦି ଟ୍ରାଫିକ୍‌ ନିୟମ ଜାଣିଶୁଣି ଉଲ୍ଲଂଘନ କରନ୍ତି. ହେଲମେଟ ନପିନ୍ଧନ୍ତି ରଙ୍ଗ ସାଇଡ଼ରେ ଯାଆନ୍ତି  କିମ୍ବା ବେପରୁଆ ଗାଡ଼ି ଚଳାନ୍ତି ତେବେ ଆଇନ ତ ତା ବାଟରେ ଯିବ।

Spread the love