ଟ୍ରେନରେ ମିଳିବ ବିମାନ ଭ୍ରମଣର ଅନୁଭବ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର, ଦିଲ୍ଲୀ, ହରିୟାଣା, ୟୁପି ଏବଂ ରାଜସ୍ଥାନ ସରକାର ନ୍ୟାସନାଲ କ୍ୟାପିଟାଲ ରିଜନ ଟ୍ରାନ୍ସପୋର୍ଟ କମିସନ (ଏନସିଆରଟିସି) ଗଠନ କରିଛନ୍ତି। ଏହି ନିଗମ ଆଞ୍ଚଳିକ ସଂଯୋଗ ପାଇଁ ୩ଟି କରିଡର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମିରଟ କରିଡର (୮୨କିଲୋମିଟର) ରେ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ-ଗୁରୁଗ୍ରାମ-ଅଲୱାର (୧୬୪କିଲୋମିଟର) କରିଡର ଏବଂ ଦିଲ୍ଲୀ-ପାନିପତ କରିଡର (୧୦୩କିଲୋମିଟର) ରେ କାର୍ଯ୍ୟ ଆରମ୍ଭ ହେବ। ଏହି ଦୁଇଟି କରିଡରର ଡିଜାଇନ୍ ପ୍ରସ୍ତୁତ କରାଯାଇସାରିଛି।ଏବେ ଲୋକଙ୍କ ପାଇଁ ଦିଲ୍ଲୀ-ଏନସିଆରରୁ ମିରଟ ଯାତ୍ରା କରିବା ହେବ ସହଜ। ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ନିର୍ମାଣ ପରେ ବର୍ତ୍ତମାନ ଏନସିଆର ଲୋକମାନେ ଦେଶର ପ୍ରଥମ ରିଜିଓନାଲ ରାପିଡ୍ ଟ୍ରେନ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଆରଆରଟିଏସ) ର ସୁବିଧା ପାଇବାକୁ ଯାଉଛନ୍ତି। ଏହି ହାଇ ସ୍ପିଡ୍ ଟ୍ରେନ୍ ୧୦୦କିଲୋମିଟର ବେଗରେ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାତ୍ରା କରିବ।ଏହି ଟ୍ରେନରେ ବସିଲେ ଆପଣଙ୍କୁ ବିମାନରେ ଯାତ୍ରା କରିବା ପରି ଅନୁଭବ ହେବ। ବିମାନ ପରି ଏହି ଟ୍ରେନ୍ ଭିତରେ ବସିବାର ବ୍ୟବସ୍ଥା କରାଯିବ। ଟ୍ରେନରେ ସମୁଦାୟ ୬ଟି କୋଚ୍ ରହିବ, ଯାହା ଆଗାମୀ ସମୟରେ ୯କୁ ବୃଦ୍ଧି ହେବ। ଏହି କୋଚଗୁଡିକ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ପ୍ରିମିୟର୍ କ୍ଲାସ୍ ହେବ। ଏକା ଥରକେ ୧୫୦୦ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ। ଦିଲ୍ଲୀରୁ ମିରଟ ପର୍ଯ୍ୟନ୍ତ ଦୂରତା ପ୍ରାୟ ୮୨ କିମି ହୋଇଥିବା ବେଳେ ବସରେ ଗଲେ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଲାଗିଥାଏ। ହେଲେ ଏହି ଟ୍ରେନରେ ଯାତ୍ରା କଲେ ୧ଘଣ୍ଟାରୁ କମ୍ ସମୟ ମଧ୍ୟରେ ଆରାମରେ ମିରଟରେ ପହଞ୍ଚିପାରିବେ ଲୋକେ। ଏହି ଟ୍ରେନ୍ ଆପଣଙ୍କୁ ମେଟ୍ରୋ ଭଳି ସୁବିଧା ଦେବ ଓ ତିନି ଗୁଣ ଅଧିକ ବେଗ ସହିତ ଗନ୍ତବ୍ୟସ୍ଥଳକୁ ନେଇ ପହଞ୍ଚାଇବ। ଲୋକମାନେ ଏହି ଟ୍ରେନରେ ମାଗଣା ୱାଇ-ଫାଇ ସୁବିଧା ମଧ୍ୟ ପାଇପାରିବେ।