ନୀଳଗିରିକୁ ଗଡିବ ପାସେଞ୍ଜର ଟ୍ରେନ, ବାଲେଶ୍ବର ସାଂସଦଙ୍କ ଦାବିପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ପ୍ରତିଶୃତି, ୬ରେ ଶିଳାନ୍ୟାସ

ନୀଳଗିରି ୩୦/୧୨: ନୀଳଗିରିବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହେବାକୁ ଯାଉଛି । ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉଦ୍ୟମରେ ନୀଳଗିରି ନିକଟ ଗୋପୀନାଥପୁରକୁ ଆରମ୍ଭ ହେବାକୁ ପାସେଞ୍ଜର ଟ୍ରେନ୍‌ ସେବା । ଏନେଇ ଟ୍ବିଟ୍‌କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଠାରୁ ୩ କିଲୋମିଟର ଦୂର ଗୋପୀନାଥପୁର ଅଞ୍ଚଳକୁ ମାଲବାହୀ ଟ୍ରେନ ଆସିଥାଏ। ଗୋପୀନାଥପୁର ଅଞ୍ଚଳରୁ ପୂର୍ବରୁ ପଥର ଓ ବାଲି ସମେତ ସ୍କିପର କାରଖାନା ଥିବାରୁ ରେଲବିଭାଗ ସାମଗ୍ରୀ ନେବାପାଇଁ ବହୁ ପୁରାତନ ସମୟରୁ ରେଳ ଲାଇନ ବିଛାଇଛି। ସମସ୍ତ ଭିତ୍ତିଭୂମି ଥାଇମଧ୍ୟ ବାରମ୍ବାର ଅଞ୍ଚଳବାସୀ ଏକ ପେସେଞ୍ଜର ଟ୍ରେନ ଚାଲିଲେ ଖାଲି ନୀଳଗିରି ନୁହେଁ ମୟୁରଭଞ୍ଜ ଜିଲ୍ଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଦାବି କରି ଆସିଥିଲେ। ପରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଞ୍ଚଳବାସୀଙ୍କ ଦାବୀକୁ ଯଥାର୍ଥତା ଦର୍ଶାଇ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ମଧ୍ୟ କରିଥିଲେ । ହେଲେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେବା ପରେ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଦାବିକୁ ଦୋହରାଇ ଥିଲେ।

ତେବେ ତାଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତର ସହ ନେଇଥିଲେ। ଏପରିକି ପୂର୍ବରୁ ମଧ୍ୟ ସର୍ଭେ ହୋଇଥିଲା। ଗୁରୁବାର ଅଶ୍ବିନ ବୈଷ୍ଣବ ଟ୍ବିଟ୍‌କରି ‘ନନାଙ୍କ ସାଙ୍ଗରେ ନୀଳଗିରିକୁ ପାସେଞ୍ଜର ଟ୍ରେନ ଅତି ଶୀଘ୍ର ଚାଲୁ କରିବା ଲେଖିଥିଲେ’। ପରେ ଆସନ୍ତା ୬ ତାରିଖ ଦିନ ଷ୍ଟେସନର ଶିଳାନ୍ୟାସ ହେବ ବୋଲି ଜଣାପଡିଛି। କେନ୍ଦ୍ର ରେଳମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ପରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଟ୍ବିଟ୍‌ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହିତ ଆସନ୍ତା ତିନିମାସ ମଧ୍ୟରେ ପାସେଞ୍ଜର ଟ୍ରେନ ଚାଲିବା ସହ ମନ୍ତ୍ରୀ ନିଜେ ବସି ଯିବାକୁ ପ୍ରତିଶୃତି ଦେଇଥିବା କହିଛନ୍ତି। ଏହି ଟ୍ରେନ ଚାଲିଲେ ଆଦିବାସୀ ମାନେ ଉପକୃତ ହେବା ସହ ବହୁ ବ୍ୟବସାୟୀ ପଡୋଶୀ ଜିଲ୍ଲାବାସୀ ମଧ୍ୟ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି।

Spread the love