ବିହାରରେ ଲାଇନଚ୍ୟୁତ ହେଲା ଟ୍ରେନ : 7 ମୃତ, ଉଦ୍ଧାର କାର୍ଯ୍ୟଜାରି

ବିହାରରେ ଆଜି ସକାଳୁ ବଡ ଟ୍ରେନ ଦୁର୍ଘଟଣା ହୋଇଛି । ସୀମାଞ୍ଚଳ ଏକ୍ସପ୍ରେସର 11ଟି କୋଚ ଲାଇନଚ୍ୟୁତ ହେବା ଫଳରେ 7 ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ଆଜି ଭୋର ପ୍ରାୟ 4ଟାରେ ହୋଇଛି ।  ସୀମାଞ୍ଚଳ ଏକ୍ସପ୍ରେସ ବିହାରର ଯୋଗବନୀରୁ ଦିଲ୍ଲୀ ଯାଉଥିଲା । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ହେଲ୍ପନାଇନ ନମ୍ବର ବି ଜାରି କରାଯାଇଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ କ୍ଷତିଗ୍ରସ୍ତ କୋଚ ମଧ୍ୟରେ ରହିଛି ଗୋଟିଏ ଜେନେରାଲ ବଗି, ଗୋଟିଏ ଏସି ବଗି ଓ 3 ଟି ସ୍ଲିପର ବଗି । ଭୋରରୁ ଦୁର୍ଘଟଣା ଘଟିଥିବାରୁ ଅନ୍ଧାର ଯୋଗୁଁ ବିଳମ୍ବରେ ଉଦ୍ଧାରକାରୀ ଟିମ ପହଞ୍ଚଥିଲେ ।

ଏହି ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାମରେ ଏନଡିଆରଏଫ ସାମିଲ ହୋଇଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 5 ଲକ୍ଷ ଲେଖାଁଏ ସହୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ଲକ୍ଷେ ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଁଏ ସହାୟତା ମିଳିବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି ରେଳଟ୍ରାକରେ ଫାଟ ଥିବା ଜଣାପଡିଛି ।

Spread the love