ମନୁଷ୍ୟକୃତ ତ୍ରୁଟି ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା!

ଭୁବନେଶ୍ବର: ମନୁଷ୍ୟକୃତ ତ୍ରୁଟି ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା ଘଟଥିବା ଜଣାଯାଇଛି।। ରାୟଗଡ଼ା-ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ରେଳ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରେଡ ସିଗନାଲ ପାଇ ଟ୍ରାକ ଉପରେ ଅଟକିଥିଲା ପଲାସା ପାସେଞ୍ଜର। ରାୟଗଡ଼ା- ବିଶାଖାପାଟଣା ପାସେଞ୍ଜରକୁ ମଧ୍ୟ ରେଡ ସିଗନାଲ ଦିଆଯାଇଥିଲା। ହେଲେ ରେଡ ସିଗନାଲକୁ ରାୟଗଡ଼ା ଲୋକୋ ପାଇଲଟ ଅଣଦେଖା କରିଥିଲେ। ଦ୍ରୁତ ଗତିରେ ପଲାସା ପାସେଞ୍ଜରକୁ ପିଟିଥିଲା ରାୟଗଡ଼ା ପାସେଞ୍ଜର। ବିଜୟନଗରମ ପ୍ରଶାସନ ପକ୍ଷରୁ ଏ ନେଇ ସ୍ଥାନୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି।
ଏଣେ ରେଳ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ବିଜୟନଗରମ୍ ଏସପି ଦୀପିକା ଏମ ପାଟେଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ଓ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ ଚାଲିଛି। ରେଳ ଦୁର୍ଘଟଣାର କିଛି ସଯୟ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାତି ହୋଇଥିବାରୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ସବୁ ବିଭାଗର ସହଯୋଗ ପାଇଁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। ତେଣେ ଓଡ଼ିଶାର ତିନୋଟି ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିବା ନେଇ ଆସିଷ୍ଟାଣ୍ଟ ଫାୟର ଅଫିସର ସୁରେଶ ବାରିକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ସରିଛି। ଟ୍ରେନ ଲାଇନ ପ୍ରାୟ ଠିକ୍ ହେଲାଣି। ଆଉ ଏକ ଘଣ୍ଟା ମଧ୍ୟରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବାର ସମ୍ଭାବନା ରହିଛି।

Spread the love