ଗଞ୍ଜାମରେ କୌଣସି ଷ୍ଟେସନ୍‌ରେ ରହିବନି ଟ୍ରେନ୍‌

ଆସନ୍ତାକାଲିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନ୍‌ ରହିବନି ପାସେଞ୍ଜର ଟ୍ରେନ୍। ‘କରୋନା’ ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଲୱେ ଏହି ପଦକ୍ଷେପ ନେଇଛି। ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ସେହିପରି ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍‌ ଟ୍ରେନ୍‌ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନରେ ଅଟକିବ ନାହିଁ। ଅନ୍ୟପକ୍ଷରେ ହାୱାଡ଼ା- ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟପେଜକୁ ବାତିଲ କରିଦିଆଯାଇଛି। ଗଂଜାମ ଜିଲ୍ଲାରେ ବଢୁଥିବା ‘କରୋନା’ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରେ ୨୧୫ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୬ରେ ପହଞ୍ଚିଛି। ସେଥିରୁ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୨୧ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସ ହେଉଛନ୍ତି। ଜଣେ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

Spread the love