ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର

ସୁନ୍ଦରଗଡ଼: ଜିଲ୍ଲାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ଏନ.ଟି.ପି.ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । ସୂଚନା ଯୋଗ୍ୟ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ପରିସରରେ ପରୀକ୍ଷା ହଲ୍‌, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍‌, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ରଖାଯାଇଛି। ସେହିପରି ମେଡିକାଲ କଲେଜ ଡିନ୍‌ଙ୍କ ପାଇଁ ସ୍ୱତନ୍ତ୍ର ବଙ୍ଗଳା, ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ବଙ୍ଗଳା, ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନଙ୍କ ପାଇଁ କ୍ୱାର୍ଟର, ଆସୋସିଏଟ୍ ପ୍ରଫେସରଙ୍କ ପାଇଁ କ୍ୱାର୍ଟର, ରେସିଡେଣ୍ଟ ଡାକ୍ତରଙ୍କ ପାଇଁ ହଷ୍ଟେଲ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ହଷ୍ଟେଲ, ଅନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ବ୍ୟବସ୍ଥା କରାଯାଇଛି।ଏହାସହ ବିଭିନ୍ନ ବିଭାଗରେ ରୋଗୀମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ୨୦୧୪ ମସିହାରେ ଏନଟିପିସି ପକ୍ଷରୁ ସୁନ୍ଦରଗଡ଼ଠାରେ ୨୧ ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୧ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।

ରାଜ୍ୟ ସରକାର ଗତ ବର୍ଷ ଏହାକୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବରେ ମଞ୍ଜୁରୀ ଦେଇଥିଲେ। ଏହି ମେଡିକାଲ କଲେଜ ପାଇଁ ଡିନ୍ ଓ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ମିଳିସାରିଛି।ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲ କାର୍ଯ୍ୟକ୍ଷମ ଓ ଏହାର ସୁପରିଚାଳନା ପାଇଁ ଗତ ଏପ୍ରିଲ ୮ ତାରିଖରେ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମେଡିକାଲ କଲେଜ ପରିସରରେ ଆୟୋଜିତ ଏହି ବୈଠକରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମ.ସି.ଆଇ) ନିୟମାବଳୀ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେବା ସହ ମେଡିକାଲ କଲେଜକୁ ସଫଳ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଜିଲାପାଳ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆଜି ଏହି ହସ୍ତାନ୍ତର ପ୍ରକ୍ରିୟା ପୂବର୍ରୁ ଏନଟିପିସିର ଅଧିକାରୀମାନେ ଉପସ୍ଥିତ ଜିଲା ପ୍ରଶାସନ ଓ ମେଡିକାଲ କଲେଜର ଅଧିକାରୀମାନଙ୍କୁ ସମସ୍ତ ଭିତ୍ତିଭୂମି ବୁଲି ଦେଖାଇଥିଲେ।ଏହି ଅବସରରେ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପଙ୍କଜ କୁମାର ପରିଡ଼ା, ଏଡିଏମ୍‌ଓ (ପିଏଚ୍‌) ଡାକ୍ତର ପୂର୍ଣଚନ୍ଦ୍ର ସାହୁ, ସୁନ୍ଦରଗଡ଼ ଏଡିଏମ୍ ରବିନାରାୟଣ ସାହୁ, ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ମେଡିକାଲ କଲେଜ ମ୍ୟାନେଜର ଅଭିନଵ କର ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ହସ୍ତାନ୍ତର ପ୍ରକ୍ରିୟା ସଂପନ୍ନ ହୋଇଯିବା ସହ ଏହି ଭିତ୍ତିଭୂମିକୁ ନେଇ ସୁନ୍ଦରଗଡ଼ରେ ଏମ୍ସର ଦ୍ବିତୀୟ ଶାଖା ଖୋଲାଯିବାକୁ ନେଇ ଚାଲିଥିବା ଦାବି ଓ କଳ୍ପନାଜଳ୍ପନା ଏକ ପ୍ରକାର ମଉଳି ଯାଉଛି ବୋଲି ଚର୍ଚ୍ଚା ଜୋର ଚାଲିଛି।

Spread the love