ତ୍ରିପୁରାରେ ଟିଏମସି ନେତ୍ରୀ ଶାୟନୀ ଘୋଷ ଗିରଫ, ଦିଲ୍ଳୀରେ ପ୍ରତିବାଦ କରିବେ ଦିଦିଙ୍କ ସାଂସଦ

ଅଗରତାଲା ୨୧/୧୧:  ଟିଏମସିର ଯୁବ ସଭାନେତ୍ରୀ ଶାୟନୀ ଘୋଷଙ୍କୁ ଅଗରତାଲା ପୋଲିସ ଗିରଫ କରିଛି । ତ୍ରିପୁରା ପୋଲିସ ତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି। ଏକ ଜନସଭାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗାଡ଼ି ଚଢ଼ାଇବା ନେଇ ଶାୟନୀଙ୍କ ଉପରେ ଅଭିଯୋଗ ହୋଇଛି । ଶାୟନୀଙ୍କୁ ପ୍ରାଥମିକ ସାକ୍ଷି  ଆଧାରରେ ଗିରଫ କରାଯାଇଛି ବୋଲି ପଶ୍ଚିମ ତ୍ରିପୁରାର ଅତିରିକ୍ତ ଏସପି ଭିଜେ ରେଡ୍ଡୀ କହିଛନ୍ତି। ତାଙ୍କ ବିରୋଧରେ ଆଇପିସି ଧାରା ୩୦୭, ୧୫୩ ଅଧୀନରେ ମାମଲା ରୁଜୁ ହୋଇଛି।

ସେପଟେ ବିଜେପି ବଡ଼ ନେତାଙ୍କ ରାଲି କରାଇବାକୁ ଦେଉନାହିଁ ବୋଲି ଟିଏମସି ଅଭିଯୋଗ କରିଥିବା ବେଳେ ଶାୟନୀଙ୍କ ଗିରଫ ପ୍ରତିବାଦରେ ଟିଏମସି ସାଂସଦ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ୧୫ରୁ ଅଧିକ ଟିଏମସି ସାଂସଦ ରବିବାର ରାତିରେ ଦିଲ୍ଲୀ ପହଞ୍ଚିବେ। ତ୍ରିପୁରାରେ ପୋଲିସର ବର୍ବରତା ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ। ଏହା ସହ ସାଂସଦମାନେ ଦିଲ୍ଲୀରେ ସୋମବାର ସକାଳେ ଧାରଣା ମଧ୍ୟ ଦେବେ।

ଅନ୍ୟପଟେ ଶାୟନୀ ଘୋଷଙ୍କ ଗିରଫ ପରେ ଟିଏମସି ନେତା ଅଭିଷେକ ବାନାର୍ଜୀ ମଧ୍ୟ ତ୍ରିପୁରାରେ ଖୁବଶୀଘ୍ର ପହଞ୍ଚିପାରନ୍ତି। କିନ୍ତୁ ଅଭିଷେକଙ୍କ ଚାଟର୍ଡ ଫ୍ଲାଇଟକୁ ଅଗରତାଲାରେ ଅବତରଣ ପାଇଁ ଅନୁମତି ମିଳିନାହିଁ। ଏହା ପୂର୍ବରୁ ଅଗରତାଲା ଥାନା ଭିତରେ ଟିଏମସି ନେତାଙ୍କୁ ମାରିପିଟ୍‌ ନେଇ ମାମଲା ସାମ୍ନାକୁ ଆସିଥିଲା।  

Spread the love