ଗ୍ରୀନ୍‌ଲାଣ୍ଡ ଦଖଲ କରିବା ଆମର ବାଧ୍ୟବାଧକତା: ଟ୍ରମ୍ପ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନ୍‌ଲାଣ୍ଡ ଆମେରିକା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ସେ ନେଇ ବୁଝାଇବାକୁ ପ୍ରୟାସ କରିଛନ୍ତି । ହ୍ୱାଇଟ୍ ହାଉସ୍‌ରେ ତୈଳ ଓ ଗ୍ୟାସ କମ୍ପାନୀର ଶୀର୍ଷ ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇ ସେ କହିଥିଲେ ଯେ, ଯଦି ଆମେରିକା ଗ୍ରୀନ୍‌ଲାଣ୍ଡକୁ ଦଖଲ ନକରେ, ତେବେ ଚୀନ୍ ଓ ରୁଷ ଏହାକୁ ଦଖଲ କରିନେବେ । ଗ୍ରୀନଲାଣ୍ଡକୁ ହାସଲ କରିବା କେବଳ ମାତ୍ର ଜମି କିଣିବା ମାମଲା ନୁହେଁ । ଏହା ଚୀନ ଓ ରୁଷ ଭଳି ଦେଶଗୁଡିକୁ ଦୂରେଇ ରଖିବା ମଧ୍ୟ । ଆମେ ଏଭଳି ଦେଶଗୁଡିକୁ ଆମର ପଡୋଶୀ ଭାବେ ଦେଖିବାକୁ ଚାହୁଁନାହୁଁ । ଆମେ ଗ୍ରୀନ୍‌ଲାଣ୍ଡକୁ ସହଜ ଉପାୟରେ ହାସଲ କରିବାକୁ ଚାହୁଁଛୁ । ଯଦି ଏପରି ନହୁଏ, ତେବେ ଆମକୁ କଠୋର ଉପାୟ ଅବଲମ୍ବନ କରିବାକୁ ହେବ । ସେମାନଙ୍କର ପସନ୍ଦ ହେଉ କି ନ ହେଉ ଆମକୁ ଗ୍ରୀନ୍‌ଲାଣ୍ଡ ବିଷୟରେ ଆମକୁ କିଛି ନା କିଛି କରିବାକୁ ହେବ ବୋଲି ସେ କହିଛନ୍ତି । ତେବେ ସେ ଡେନମାର୍କ ବିଷୟରେ ସକାରାତ୍ମକ କଥା କହିଛନ୍ତି । ମୁଁ ଡେନମାର୍କୁ ପସନ୍ଦ କରିଥାଏ ଓ ଏହି ସ୍କାଣ୍ଡିନାଭିଆନ ଦେଶର ମୁଁ ଜଣେ ବଡ଼ ପ୍ରଶଂସକ । ଡେନମାର୍କ ସହିତ ଆମର ବହୁତ ଭଲ ସମ୍ପର୍କ ରହିଛି । ତେବେ ଗ୍ରୀନ୍‌ଲାଣ୍ଡକୁ ସେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ସହିତ ଯୋଡିବାକୁ ପ୍ରୟାସ କରିଛନ୍ତି । ଗ୍ରୀନ୍‌ଲାଣ୍ଡ ନିକଟରେ ଚୀନ୍ ଓ ରୁଷିଆ ଜାହାଜଗୁଡିକର ଗତିବିଧି ବୃଦ୍ଧି ପାଉଥିବା କଥା ସେ କହିଛନ୍ତି । ତେବେ ଗ୍ରୀନଲାଣ୍ଡକୁ ନେଇ ଟ୍ରମ୍ପଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଡେନମାର୍କ ସମାଲୋଚନା କରିଛି । ଯଦି ଆମେରିକା ଏଭଳି ଦୁଃସାହସ କରେ ତେବେ ଆମେ ଗୁଳିରେ ହିଁ ଜବାବ ଦେବୁ ବୋଲି ଡେନମାର୍କ କଡ଼ା ଜବାବ ଦେଇ କହିଛି । ସୂଚନାଯୋଗ୍ୟ ଯେ, ଗ୍ରୀନଲାଣ୍ଡ ହେଉଛି ଡେନମାର୍କର ଏକ ସ୍ୱୟଂଶାସିତ ଅଞ୍ଚଳ ।

Spread the love