ଅହମ୍ମଦାବାଦରେ ତିନିଘଣ୍ଟା ରହିବେ ଟ୍ରମ୍ପ, ଖର୍ଚ୍ଚ ହେଉଛି 100 କୋଟି

ଅହମ୍ମଦାବାଦ, ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ସେ ଗୁଜରାଟର ଅହମ୍ମଦାବାଦ ଗସ୍ତ କରିବେ। ଅହମ୍ମଦାବାଦରେ ସେ ୩ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୩ ଘଣ୍ଟାର ଗସ୍ତ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ଗସ୍ତ ଏବଂ କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ଵରେ ଥିବା ଆୟୋଜକମାନଙ୍କଠାରୁ ବିଶେଷ ସୂତ୍ରରୁ ଏହା  ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ବାଗତରେ ଅର୍ଥ ବାଧକ ନ ରହିବା ଉଚିତ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆୟୋଜକମାନଙ୍କୁ କହିଛନ୍ତି। ଅହମ୍ମଦାବାଦ ମହାନଗର ନିଗମ(ଏଏମସି) ଏବଂ ଅହମ୍ମଦାବାଦ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(ଏୟୁଡିଏ) ସହରର ସୌନ୍ଦର୍ଯ୍ୟକରଣ, ରାସ୍ତାର ଉନ୍ନତିକରଣ ଆଦିରେ ମିଳିତ ଭାବେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୧୭ଟି ରାସ୍ତାର ଉନ୍ନତିକରଣରେ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାସ୍ତାର ସୌନ୍ଦର୍ଯ୍ୟକରଣ ଲାଗି ୬ କୋଟି ଖର୍ଚ୍ଚ ହେବ।

ସେହିପରି ଏୟୁଡିଏ ରାସ୍ତାକାମରେ ୨୦ କୋଟି ଖର୍ଚ୍ଚ କରିବ। ସେହିପରି ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ୧୨ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ମୋଟେରା ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ୧ ଲକ୍ଷ ଅତିଥିଙ୍କୁ ନେବା ଆଣିବା ଏବଂ ଖାଦ୍ୟ ପାନୀୟରେ ୭ରୁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତେବେ ମୋଟ ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରାଯିବ ସେଥିରୁ ସିଂହଭାଗ ରାଜ୍ୟ ସରକାର ବହନ କରିବେ।

Spread the love