ନୋବେଲ ଶାନ୍ତି ବିଜେତା ଦକ୍ଷିଣ ଆଫ୍ରିକୀୟ ଆର୍କ ବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ

ଜୋହନ୍ସବର୍ଗ ୨୬।୧୨: ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟବାଦ ଆନ୍ଦୋଳନର ଅନ୍ୟତମ ନେତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କ ପରଲୋକ ହୋଇଛି। ରାଷ୍ଟ୍ରପତି ସିରିଲ ରାମଫୋସା ରବିବାର ଟ୍ୱିଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି। ସେ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ତାଙ୍କ ବିୟୋଗ ଏକ ସମ୍ପୂର୍ଣ୍ଣ ପିଢୀ ଲାଗି ସୋକର ଏକ ଅଧ୍ୟାୟ ବୋଲି ରାଷ୍ଟ୍ରପତି ରାମଫୋସା କହିଛନ୍ତି।

ମୁକ୍ତ ଦକ୍ଷିଣ ଆଫ୍ରିକା ନିର୍ମାଣରେ ଆର୍କ ବିଶପ ଟୁଟୁଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା। ଏଣୁ ରାଷ୍ଟ୍ରପତି ରାମଫୋସା ତାଙ୍କୁ ଏକାଧାରରେ ଜଣେ ଆଧ୍ୟାତ୍ମିକ ନେତା, ବର୍ଣ୍ଣ ବୈଷମ୍ୟ ଆନ୍ଦୋଳନର କର୍ମୀ ଓ ମାନବାଧିକାରର ବୈଶ୍ୱିକ ପ୍ରଚାରକ ବୋଲି ଅଭିହିତ କରିଛନ୍ତି। ଆର୍କବିଶପ ଟୁଟୁ ତାଙ୍କ ହସହସ ମୁହଁ ଓ ଖୋଲା ମନ ଲାଗି ବେଶ୍  ପରିଚିତ ଥିଲେ। ସେ ପ୍ରାୟତଃ ବାଇଗଣୀ ରଙ୍ଗର ପୋଷାକ ପିନ୍ଧୁଥିଲେ। ସେ ୧୯୬୦ ମସିହା ପର୍ଯ୍ୟନ୍ତ ଜଣେ ପାଦ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୭୬-୭୮ ପର୍ଯ୍ୟନ୍ତ ଲେସେଥୋର ବିଶପ ନିଯୁକ୍ତ ହୋଇଥିଲେ।

୧୯୮୫ ମସିହାରେ ଜୋହନ୍ସବର୍ଗ ଆର୍କବିଶପ ନିଯୁକ୍ତ ହେବାରେ ସେ ପ୍ରଥମ ଅଶ୍ୱେତ ଥିଲେ। ବର୍ଣ୍ଣ ବିଦ୍ୱେଷ ସମାପ୍ତି ଲାଗି ତାଙ୍କ କାର୍ଯ୍ୟ ନିମନ୍ତେ ୧୯୮୪ ମସିହାରେ ଟୁଟୁଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ୧୯୯୪ ମସିହାରେ ନେଲସନ ମାଣ୍ଡେଲା ଦେଶର ରଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଦେଶରେ ବର୍ଣ୍ଣବିଦ୍ୱେଷ ସମୟରେ କଳାଗୋରା ଭେଦଭାବକୁ ନେଇ ହୋଇଥିବା ଅପରାଧର ଯାଞ୍ଚ ନିମନ୍ତେ ଗଠିତ ହୋଇଥିବା ଟ୍ରୁଥ ରିକୋନସିଲେସନ କମିଶନରେ ଟୁଟୁଙ୍କୁ ନିଯୁକ୍ତ କରିଥିଲେ।

Spread the love