ଆଜି ତୁନିଷାଙ୍କର ହେବ ଅନ୍ତିମ ସଂସ୍କାର, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ଫ୍ୟାନ୍ସ

ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ହେଲେ ଆଜିଯାଏଁ ତାଙ୍କର ଅନ୍ତିମ ସଂସ୍କାର ହୋଇନାହିଁ। ତୁନିଷାଙ୍କ ମୃତ୍ୟୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ଏପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯାଇନାହିଁ। ପରିବାର ପକ୍ଷରୁ ମାଉସୀଙ୍କୁ ଅପେକ୍ଷା କରାଯାଇଛି। ତାଙ୍କ ମାଉସୀ ଇଂଲଣ୍ଡରୁ ଆସି ଆଜି ପହଞ୍ଚିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଖବର ମିଳିଛି । ମୁମ୍ବାଇର ମୀରା ରୋଡ ସ୍ଥିତ ଗୋଦେବ ଶଶ୍ମାନରେ ୩ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତୁନିଷା ‘ଅଲ୍ଲୀ ବାବା: ଦାସ୍ତାନ-ଏ-କବୁଲ’ ର ସୁଟି ସେଟର ମେକଅପ୍‌ ରୁମରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ମାମଲାରେ କୋ ଷ୍ଟାର ଶିଜାନ ଖାନଙ୍କୁ ପୋଲିସ ଗିରଫ କରିଛି।

ଛୋଟ ପରଦାରେ ଲୋକପ୍ରିୟ ଅଭିନେତ୍ରୀ ଭାବେ ବହୁତ କମ୍‌ ସମୟରେ ଫ୍ୟାନ୍ସଙ୍କ ମନ ଜିତି ନେଇଥିଲେ। କିନ୍ତୁ ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିବା ଯୋଗୁଁ ଫ୍ୟାନ୍ସ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା, ତୁନିଷାଙ୍କ ମାଉସୀ ଇଂଲଣ୍ଡରେ ରୁହନ୍ତି। ତେଣୁ ସେଠାରେ ସେ ଆସିବା ବିଳମ୍ବ ହେବା ଯୋଗୁଁ ତୁନିଷାଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ ହେଉଛି । ତୁନିଷା ପରିବାରର ଗେହ୍ଲା ଝିଅ ରହିଥିବାରୁ ତାଙ୍କ ଆତ୍ମହତ୍ୟାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି ।

ତୁନିଷାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଲଗାତାର ଯାଞ୍ଚ କରୁଛି। ତୁନିଷାଙ୍କୁ ମାନସିକ ଭାବେ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଶିଜାନ ଖାନଙ୍କ ନାମରେ ଅଭିଯୋଗ ହୋଇଛି । ଶିଜାନଙ୍କୁ ଗିରଫ କରାଯାଇ କୋର୍ଟ ହାଜର କରାଯାଇଥିଲା । ଏହା ପରେ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି।

ସୂଚନାଯୋଗ୍ୟ, ତୁନିଷା ଶର୍ମା ଶୁଟିଂ ସେଟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ଟିଭି ସିରିଏଲ ‘ଅଲୀ ବାବା-ଦାସ୍ତାନ ଇ କବୁଲ’ରେ ଅଭିନୟ କରୁଥିଲେ ତୁନିଷା । ନାଇଗାଓଁରେ ସିରିଏଲର ଶୁଟିଂ ରହିଥିଲା । ଏଥିପାଇଁ ସେ ସେଟର ମେକଅପ୍ ରୁମରେ ଥିବା ଫ୍ୟାନରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟର କ୍ର୍ୟୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ସେ ମେକ୍ଅପ୍ ରୁମରୁ ହିଁ ନିଜର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ମାତ୍ର ୨୦ବର୍ଷ ବୟସରେ ତୁନିଷା ଆତ୍ମହତ୍ୟା କରିବେ ଏହି ଖବରକୁ କେହି ବିଶ୍ବାସ କରି ପାରୁନାହାନ୍ତି। ତୁନିଷା ବ୍ୟବଚ୍ଛେଦ ରିପୋର୍ଟ କହୁଛି, ତାଙ୍କ ଶ୍ବାସରୁଦ୍ଧ ହୋଇଯାଇଥିବା ହେତୁ ମୃତ୍ୟୁ ହୋଇଛି। ଅର୍ଥାତ ଫାଶୀ ଲଗାଇବା ପରେ ସେ ନିଶ୍ବାସ-ପ୍ରଶ୍ବାସ ନନେଇ ପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା କୁହାଯାଉଛି। ଏଥିସହିତ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ବି ନାହିଁ। ତୁନିଷାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ସେ ଅନ୍ତସତ୍ତ୍ବା ଥିବା ନେଇ କେତେଜଣ କହୁଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଛି।

Spread the love