ଭୂମିକମ୍ପରେ ଘୁଞ୍ଚିଗଲା ତୁର୍କୀ ! ଉଦ୍ଧାରକୁ ଅପେକ୍ଷା କରି ଅନେକ ନେଉଛନ୍ତି ଶେଷ ନିଃଶ୍ୱାସ; ମୃତ୍ୟୁ ସଂଖ୍ୟା ଟପିଲାଣି ୧୫ ହଜାର

ତୁର୍କୀ ଓ ସିରିଆରେ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୫ ହଜାର ଟପିସାରିଲାଣି । ଉଦ୍ଧାରକୁ ଅପେକ୍ଷା କରି ଅନେକ ନେଉଛନ୍ତି ଶେଷ ନିଃଶ୍ୱାସ । ମୃତ୍ୟୁସଂଖ୍ୟା ୨୦ ହଜାର ଟପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି । ଭାରତରୁ ଯାଇଥିବା ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛିି । ଗତ ସୋମବାର ଭୋର ସମୟରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ତୁର୍କୀ ପଶ୍ଚିମକୁ ପ୍ରାୟ ୫ରୁ ୬ ମିଟର ଘୁଞ୍ଚିଯାଇଛି । ଇଟାଲୀର ଭୂମିକମ୍ପବିତ୍ ପ୍ରଫେସର କାର୍ଲୋ ଡୋଗଲିଅନି ଏହା କହିଛନ୍ତି । ସିରିଆ ତୁଳନାରେ ତୁର୍କୀ ନିଜର ପଶ୍ଚିମ ଦିଗକୁ ପ୍ରାୟ ୫ରୁ ୬ ମିଟର ଘୁଂଚିଯାଇଛି । ସେ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟକୁ ଭିତି କରି ଏସବୁ ଆକଳନ କରାଯାଇଛି । ପରେ ସାଟେଲାଇଟ୍ ଫଟୋ ଦେଖିବା ପରେ ଏ ସଂପର୍କରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ।

ସେହିପରି ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ଭାରତୀୟ ନିଖୋଜ ଅଛନ୍ତି । ୧୦ ଜଣ ଭାରତୀୟ ତୁର୍କୀର ବିଭିନ୍ନ ଅଂଚଳରେ ଫସି ରହିଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସରକାର ବୁଧବାର ସୂଚନା ଦେଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ୱେଷ୍ଟ୍ ସଚିବ ସଂଜୟ ବର୍ମାଙ୍କ ପକ୍ଷରୁ କୁହାଯାଇଛି ଯେ, ତୁର୍କୀର ଆଡାନାଠାରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଫସି ରହିଥିବା ୧୦ ଭାରତୀୟ ସୁରକ୍ଷିତ ଅଛନ୍ତି । କିନ୍ତୁ ନିଖୋଜ ହୋଇଥିବା ଭାରତୀୟ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରନ୍ତି ଓ ସେ କମ୍ପାନି କାମରେ ତୁର୍କୀ ଯାଇଥିଲେ । ଉଭୟ କମ୍ପାନୀ ଏବଂ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହ ଦୂତାବାସ ଯୋଗାଯୋଗରେ ଥିବା ସୂଚନା ରହିଛି ।

Spread the love