ପ୍ରଧାନଶିକ୍ଷକ ହେଉଛନ୍ତି ବିଦ୍ୟାଳୟର ମେରୁଦଣ୍ଡ : ତୁଷାରକାନ୍ତୀ ବେହେରା

ଭୁବନେଶ୍ୱର, ୧୦/୦୭/୨୦୨୩: ଅଲ ଓଡିଶା ଏସଟି ଏବଂ ଏସସି ସିନିଅର ଏସଇଏସ୍ ପ୍ରଧାନଶିକ୍ଷକ ସମ୍ମିଳନୀ ଗତକାଲି ଖାରବେଳନଗର ସ୍ଥିତ ଭାରତୀୟ ବିଦ୍ୟାଭବନ ଅଡିଟୋରିୟମ ହଲରେ ଉଦ୍‌ଯାପିତ ହୋଇଯାଇଛି । ସଂଘର ସଭାପତି ଦଇତାରି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କ୍ରୀଡା ଯୁବ୍ୟାପାର ପ୍ରଯୁକ୍ତି ତଥା ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ବେହେରା ଯୋଗଦେଇ କହିଥିଲେ ଯେ, ପ୍ରଧାନଶିକ୍ଷକ ହେଉଛନ୍ତି ବିଦ୍ୟାଳୟର ମେରୁଦଣ୍ଡ ତେଣୁ ସମସ୍ତ ପ୍ରଧାନଶିକ୍ଷକ ଜଣେ ଜଣେ ମଣିଷ ତିଆରି କାରଖାନାର ମୁଖ୍ୟଯନ୍ତ୍ରୀ କହିବା ସହ ସମସ୍ୟାଗୁଡିକ ସମାଧାନ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ମୁଖ୍ୟବକ୍ତାଭାବେ ବିରମହାରାଜପୁର ବିଧାୟକ ଶ୍ରୀ ପଦ୍ମନାଭ ବେହେରା ଅଭିଭାଷଣରେ କହିଥିଲେ ଯେ, ସଂଘ ମାଧ୍ୟମରେ ସବୁକିଛି ସମାଧାନ କରାଯାଇପାରିବ ତେଣୁ ଆପଣମାନେ ସବୁବେଳେ ଏକତ୍ର ରହି କାମ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଦଶପଲାର ବିଧାୟକ ରମେଶଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସଂଘର ସମସ୍ୟାକୁ ସମାଧାନ ପାଇଁ ସବୁପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ । ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ମଂଚ ପରିଚାଳନା କରିଥିବାବେଳେ ସଂଘର ସଂପାଦକ ଦିଲୀପ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବିବରଣୀରେ ସଂଘର ପୃଷ୍ଠଭୂମିଳ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ତାଙ୍କର ମୁଖ୍ୟ ସମସ୍ୟା ଭିତରେ ପ୍ରଧାନଶିକ୍ଷକ ପଦବୀରୁ ପରବର୍ତୀ ପଦୋନ୍ନତି ପାଇଁ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ ତାରିଖକୁ ବିଚାରକୁ ନେବା, ଓଇଏସ୍‌-ଆଇଆଇ ପଦବୀରୁ ଓଇଏସ-ଆଇକୁ ପଦୋନ୍ନତି ବ୍ୟବସ୍ଥାରେ ବୟସ ସୀମା-୪୫ବର୍ଷ ସହ ଓପିଏସସି ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ଏସଟି ଆଣ୍ଡ ଏସସି ବର୍ଗର ଯେଉଁ ପ୍ରଧାନଶିକ୍ଷକମାନେ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନିଜ ଜିଲ୍ଲାକୁ ବଦଳି କରିବା ଭଳି ଦାବିଗୁଡିକ ଉପସ୍ଥାପନା କରିଥିଲେ ।

ଶେଷରେ ସଂଘର ଉପସଭାପତି ଦିଲୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବନମାଳୀ ଶ୍ୟାମସୁନ୍ଦର ବେହେରା, ରଜନୀକାନ୍ତ ବେହେରା, ପ୍ରଶାନ୍ତ କୁମାର ଜେନା, ରାଜକିଶୋର ଜେନା, ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାର୍ଯ୍ୟ କରିଥିଲେ ।

Spread the love