ପୁଣି ଚମତ୍କାର କଲେ ଏମ୍ସ ଡାକ୍ତର: ୯ ଘଣ୍ଟାର ଅସ୍ତ୍ରୋପଚାର କରି ପେଟ ଓ ଛାତି ଲାଗିଥିବା ଯୋଡ଼ା ଶିଶୁଙ୍କୁ ଅଲଗା କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ଡାକ୍ତରମାନଙ୍କୁ ମିଳିଛି ବଡ଼ ସଫଳତା। ଦୀର୍ଘ ୯ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ଦୁଇ ଯୋଡ଼ା ଶିଶୁଙ୍କୁ ପୃଥକ କରି ପାରିଛନ୍ତି ଏମ୍ସ ଡାକ୍ତର।ଉଭୟ ଶିଶୁ ଗତବର୍ଷ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ସେମାନଙ୍କୁ ପାଞ୍ଚ ମାସ ପାଇଁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ବର୍ତ୍ତମାନ ଦୁଇ ଭଉଣୀ ଅଲଗା ହୋଇ ପାରିଛନ୍ତି। ଏମ୍ସର ଡାକ୍ତରମାନଙ୍କ ଦ୍ୱାରା କରାଯାଇଥିବା ଏହି ଚମତ୍କାର ଏବେ ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଭଉଣୀଙ୍କର ପେଟ ଓ ଛାତି ଯୋଡ଼ି ହୋଇଥିବା ବେ‌ଳେ ଡାକ୍ତରମାନେ ସେମାନଙ୍କୁ ଅଲଗା କରି ପାରିଛନ୍ତି।
ପ୍ରାୟ ୯ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାର ପରେ ଏମ୍ସର ଶିଶୁରୋଗ ବିଶେଷଜ୍ଞ ମିନୁ ବାଜପେଇ କହିଛନ୍ତି ଯେ,‘‘ଗର୍ଭଧାରଣର ଚତୁର୍ଥ ମାସରେ ଦୁଇ ଶିଶୁ ଯୋଡ଼ି ହୋଇଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କୁ ସେବେଠାରୁ ନଜର ରଖାଯାଉଥିଲା। ସେମାନେ ଉତ୍ତରପ୍ରଦେଶର ବରେଲିର ବାସିନ୍ଦା।  ଦୀର୍ଘ ୯ ଘଣ୍ଟାର ଅସ୍ତ୍ରୋପଚାର ପରେ ସେ ଦ୍ବୟ ଶିଶୁଙ୍କୁ ଜୁନ୍‌ ୮ରେ ଅଲଗା କରାଯାଇଥିଲା। ଶିଶୁ ଦ୍ବୟଙ୍କୁ ମାତ୍ର ୧୧ ମାସ ବୟସରେ ଅପରେସନ୍ କରାଯାଇଥିଲା।’’

ଏନେଇ ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ପ୍ରଫେସର ପ୍ରବୁଦ୍ଧ ଗୋୟଲ କହିଛନ୍ତି ଯେ, “ ଏହା ଅତ୍ୟନ୍ତ ଅସ୍ବାଭାବିକ ଏବଂ ଅଜବ ଥିଲା। ନାସ୍ଥେସିଆ ଦେବା ପାଇଁ ୩.୫ ଘଣ୍ଟା ସମୟ ଲାଗିଥିଲା।’’ ଡାକ୍ତରମାନେ କହିଛନ୍ତି ଯେ ଅସ୍ତ୍ରୋପଚାର ପରେ ଯାଆଁଳା ଶିଶୁ ଦ୍ବୟ ଡାକ୍ତରଖାନାରେ ସେମାନଙ୍କର ପ୍ରଥମ ଜନ୍ମଦିନ ପାଳନ କରିଥିଲେ।ଦିଲ୍ଲୀ ଏମ୍ସ ଏହା ପୂର୍ବରୁ ମଧ୍ୟ ଅନେକ ଚକିତକାରୀ ସର୍ଜରୀ କରିଛି।୨୦୧୭ ମସିହାରେ ଏମ୍ସର ଡାକ୍ତରମାନେ ସଫଳତାର ସହ ଓଡ଼ିଶାର ଯୋଡ଼ା ଶିଶୁ ଜଗା-ବଳିଆଙ୍କୁ ଅଲଗା କରିଥିଲେ।

Spread the love