ଟ୍ବିଟାପ୍‌ଗ୍ରାମ୍ ବୁକ୍‌: ନବୀନ ମୋଦୀ ନା ନରେନ୍ଦ୍ର ପଟ୍ଟନାୟକ

ନବୀନ ମୋଦୀ ନା ନରେନ୍ଦ୍ର ପଟ୍ଟନାୟକ? ବାଲେଶ୍ବରର ଜଣାଶୁଣା ଜଉକ‌େଣ୍ଢଇ ଶିଳ୍ପୀ କେଶୁ ଦାସ ଆଙ୍କିଥିବା ଏଇ ଫଟୋଚିତ୍ରଟିକୁ ବିମଳ ଦାସ ଉପସ୍ଥାପନ କରିଛନ୍ତି। Prashant Sahu@suryanandannet ଏଇଟିକୁ ଟ୍ବିଟ୍ କରି ଫଟୋଟି କାହାର ଚିହ୍ନିବାକୁ କହିଛନ୍ତି। ସଂସଦରେ ବିଜେପିକୁ ବିଜେଡିର ସମର୍ଥନ ପରିପ୍ରେକ୍ଷୀରେ, ମୋଦୀ ଓ ନବୀନଙ୍କ ଚେହେରାର ଫେଣ୍ଟାଫେଣ୍ଟି ଏଇ ଫଟୋଟି ଅନେକ କଥା କହୁଛି। ତେବେ ପ୍ରତିକ୍ରିୟାଗୁଡ଼ିକ ମଧ୍ୟ ବେଶ୍ ମଜାଳିଆ ହୋଇଛି। ‘ମୋନା’, ‘ନାନା’ ‘ମୋବୀନ’, ‘ନବୀନ ଦାମୋଦର ଦାସ ମୋଦୀ’, ‘ନଭେନ୍ଦ୍ର ଦାମୋଦର ପଟ୍ଟନାୟକ’, ‘ନଭେନ୍ଦ୍ର ମୋଟ୍ଟନାୟକ’, ‘ନବୀନ୍ଦ୍ର ପଟ୍ଟମୋଦୀ’, ‘ନଦି’, ‘ନରେନ୍ଦ୍ରବିନ୍ ପଟ୍ଟାନ୍ଦି’ ପରି ଅନେକ ନାମ ଏହି ଫଟୋଟିକୁ ଦେଖି ପ୍ରତିକ୍ରିୟାରେ ଲୋକେ ଲେଖିଛନ୍ତି। ଆଉ ଏକ ମନ୍ତବ୍ୟରେ କୁହାଯାଇଛି, ‘ନବୀନ ମୋଦୀ କିମ୍ବା ନରେନ୍ଦ୍ର ପଟ୍ଟନାୟକ! ଗୋଟିଏ ଚଳଚ୍ଚିତ୍ର, ଯୋଡ଼ିଏ ନାୟକ!’ ‘ବିରୋଧୀଙ୍କୁ ଧ୍ବସ୍ତବିଧ୍ବସ୍ତ କରିବାର ସର୍ବୋତ୍କୃଷ୍ଟ ଔଷଧ’ ବୋଲି ଜଣେ ମତ ଦେଇଥିବା ବେଳେ ଆଉ ଜଣେ ଏହାକୁ ‘ହାଇବ୍ରିଡ୍ ସ୍ପେସିଜ୍’ ବୋଲି କହିଛନ୍ତି। MODIfied Naveen ମନ୍ତବ୍ୟଟି ମଧ୍ୟ ବେଶ୍ ଅର୍ଥପୂର୍ଣ୍ଣ। ‘ଡେଡ୍‌ଲି କକ୍‌ଟେଲ୍‌’, ‘ଡବଲ୍‌ ଡେକର୍‌’ ବୋଲି ପରିହାସ ଛଳରେ ମନ୍ତବ୍ୟ ଦିଆଯାଇଛି। ଜଣେ ଲେଖିଛନ୍ତି, ଏହାକୁ ତ କହନ୍ତି ପ୍ରକୃତ ପ୍ରେମ! ‘ଫେକେନ୍ଦ୍ର ନବୀନ’, ‘ଅଜୟ ଦେବଗନଙ୍କ ବୋପା’ ପରି କିଛି ଅସୌଜନ୍ୟମୂଳକ କଟାକ୍ଷ ମଧ୍ୟ କରାହୋଇଛି। ‘ମୋଦୀ-ନବୀନ ଭାଇଭାଇ, ସିର୍ଫ ପ୍ୟାର୍ ମେ କରେଁ ଲଡ଼ାଇ’ ପରି ହିନ୍ଦୀ ସ୍ଲୋଗାନ୍ ମଧ୍ୟ ଲେଖାଯାଇଛି। ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ପ୍ରଚାରରେ ବହୁଳ ବ୍ୟବହୃତ ହୋଇଥିବା ଶବ୍ଦ NaMoକୁ ଏଠାରେ ନବୀନ ଓ ମୋଦୀଙ୍କ ପାଇଁ ଜଣେ ବ୍ୟବହାର କରିଛନ୍ତି। କେଶୁଦାସଙ୍କ କଳା ଓ ପ୍ରତିକ୍ରିୟାଗୁଡ଼ିକରେ ଥିବା ସୃଜନଶୀଳତାକୁ ପ୍ରଶଂସା ମଧ୍ୟ କରାଯାଇଛି। ୫ ତାରିଖ ଶନିବାର ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବେଳେ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ଓ ନବୀନ ମଧ୍ୟ କେନ୍ଦ୍ରକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ଫଟୋଟିକୁ ଆହୁରି ପ୍ରାସଙ୍ଗିକ କରିଛି।
ଜବାବ ଦେଇ ଜାଡ୍ଡୁ କପିଳଙ୍କ କଥାକୁ ହିଁ ପ୍ରମାଣ କରିଛନ୍ତି
ଚଳିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟିମ୍‌ ଇଣ୍ଡିଆ ଦ୍ବିତୀୟ ଦିନିକିଆରେ ପରାଜିତ ହେବା ପରେ ଭାରତର କିଂବଦନ୍ତି ଖେଳାଳି କପିଳ ଦେବ ଉଦ୍‌ବେଗ ପ୍ରକାଶ କରି କହିଥିଲେ, ‘‘ଆଇପିଏଲ୍ ପରି ବଡ଼ବଡ଼ କଣ୍ଟ୍ରାକ୍ଟରୁ ଏବର ଖେଳାଳିମାନେ ପ୍ରଚୁର ଅର୍ଥ ରୋଜଗାର କରୁଥିବାରୁ ସେମାନଙ୍କର ଅହଂକାର ବଢ଼ିଯାଇଛି। ସେମାନେ ଭାବୁଛନ୍ତି, ସେମାନେ ସବୁ ଜାଣନ୍ତି। ୫୦ଟି କ୍ରିକେଟ ଋତୁ ଦେଖିସାରିଥିବା ସୁନୀଲ ଗାଭାସ୍କରଙ୍କ ପରି ଏତେ ବଡ଼ ବିଶେଷଜ୍ଞ ଖେଳାଳିଙ୍କ ପାଖରୁ ପରାମର୍ଶ ନେବାରେ ଏମାନେ ଏତେ କୁଣ୍ଠିତ କାହିଁକି?’’ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆର ଅବ୍ୟବହିତ ପୂର୍ବରୁ ଟିମ୍‌ ଇଣ୍ଡିଆର ପ୍ରମୁଖ ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ କପିଳଙ୍କ ଏପରି ମନ୍ତବ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଥିଲେ, ‘‘ନିଜନିଜ ମତ ପ୍ରକାଶ କରିବାର ପୂରା ଅଧିକାର ପୂର୍ବ ଖେଳାଳିମାନଙ୍କର ରହିଛି। ଦଳ ହାରିଲେ ଏପରି ମତମନ୍ତବ୍ୟମାନ ଆସିଥାଏ। ତେବେ ଆମ ଦଳରେ କାହାରି ସେମିତି ଅହଂକାର ଥିବା ମୁଁ ଭାବୁନାହିଁ। ପ୍ରତ୍ୟେକ ଖେଳାଳି ଦେଶର ପ୍ରତିନିଧିତ୍ବ କରୁଥିବାରୁ ଗର୍ବ ଅନୁଭବ କରନ୍ତି ଓ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ ଦିଗରେ ଚେଷ୍ଟିତ। କାହାରି କିଛି ବ୍ୟକ୍ତିଗତ ଏଜେଣ୍ଡା ନାହିଁ।’’ କପିଳଙ୍କ ପରି ଜଣେ ବିଶ୍ବବିଜୟୀ ଅଧିନାୟକଙ୍କୁ ଜାଡ଼େଜା ଏପରି ଜବାବ ଦେବା ନେଟିଜେନ୍‌ମାନଙ୍କୁ କିନ୍ତୁ ଭଲ ଲାଗିନାହିଁ। ଜାଡ଼େଜାଙ୍କୁ କୁହାଯାଇଛି, ସୂର୍ଯ୍ୟକୁ ଛେପ ପକାଇବାର ଆସ୍ପର୍ଦ୍ଧା କରନାହିଁ। ତୁମେ ବି ଜଣେ ବଡ଼ ଖେଳାଳି ହୋଇଥାଇପାର। ହେଲେ କପିଳ କ’ଣ କହୁଛନ୍ତି ତାକୁ ଶୁଣିବାକୁ ବି ତୁମର ଧୈର୍ଯ୍ୟ ରହିବା ଦରକାର।

ଅନ୍ୟ ପକ୍ଷରେ ଜାଡ଼େଜାଙ୍କ ସପକ୍ଷରେ ବି ଯୁକ୍ତି ବାଢ଼ିଛନ୍ତି କିଛି ଲୋକ। ସେ ବି ଜଣେ ପ୍ରଚଣ୍ଡ ପ୍ରତିଭାବାନ ଅଲ୍‌-ରାଉଣ୍ଡର; ତେଣୁ ତାଙ୍କୁ କେହି ହେୟଜ୍ଞାନ କରିବା ଉଚିତ ନୁହେଁ। ସେ ଦେଶକୁ କପିଳଙ୍କଠାରୁ ମଧ୍ୟ ଅଧିକ ମ୍ୟାଚ୍ ଜିତାଇଛନ୍ତି। ଏମିତିରେ ବି କପିଳ ଥରେ ମ୍ୟାଚ୍-ଫିକ୍ସିଂ ଅଭିଯୋଗ ପରିସରକୁ ଆସିଥିଲେ। ଭାଗ୍ୟ ଭଲ ଥିଲା ବୋଲି ଭାରତ କପିଳଙ୍କ ନେତୃତ୍ବରେ ଥରେ ବିଶ୍ବ କପ୍ ଜିତିଯାଇଥିଲା। ବିଜ୍ଞାପନକୁ ନେଇ କପିଳ-ଗାଭାସ୍କରଙ୍କ ମଧ୍ୟରେ ଅତୀତରେ ହୋଇଥିବା ବିବାଦ କଥା ଭୁଲିଗଲେ ଚଳିବ ନାହିଁ। ଜନତାଙ୍କୁ ଖୁସି କରିବା ପାଇଁ କପିଳ ଶସ୍ତା ମନ୍ତବ୍ୟଟିଏ ଦେଇଛନ୍ତି। ଏବକାର ଖେଳାଳିମାନେ ଅଧିକ ରୋଜଗାର କରୁଥିବା ଦେଖି ପୁରୁଣା ଖେଳାଳିମାନେ ଈର୍ଷା କରୁଛନ୍ତି। ଯଦି କୋଉ ଖେଳାଳି ସତରେ ଅହଂକାରୀ ହୋଇଯାଇଛି ବୋଲି କପିଳଙ୍କ ହୃଦ୍‌ବୋଧ ହେଲା, ଜଣେ ପ୍ରବୀଣ କ୍ରୀଡ଼ାବିତ ଭାବେ ସେ ତାଙ୍କୁ ବ୍ୟକ୍ତିଗତ ସ୍ତରରେ ଫୋନ୍ କରି ବୁଝାଇପାରିଥାନ୍ତେ। ପୂରା ଦଳକୁ ଏପରି କହିବା ଠିକ୍ ହୋଇନାହିଁ।

ଉତ୍ତରରେ କୁହାଯାଇଛି, ୧୯୮୩ ବିଶ୍ବ କପ୍ ବିଜୟ ଭାଗ୍ୟ ଯୋଗୁଁ ହୋଇଥିଲା କହିବା ଦୁର୍ଭାଗ୍ୟଜନକ। ଏହି ବିଜୟ ହିଁ ଦେଶରେ କ୍ରିକେଟ୍‌କୁ ଏକ ଧର୍ମରେ ପରିଣତ କରିଥିଲା। ତା’ ପୂର୍ବ ୱେଷ୍ଟଇଣ୍ଡିଜ୍ ଗସ୍ତରେ ମଧ୍ୟ ଭାରତ ଦୁର୍ଦ୍ଧର୍ଷ ଖେଳାଳିମାନଙ୍କୁ ଦିନିକିଆରେ ପରାଜିତ କରିଥିଲା। କପିଳ ଟେଷ୍ଟରେ ଏକାଧିକ ଶତକ ମଧ୍ୟ ହାସଲ କରିଥିଲେ। ଏତେ ବଡ଼ ନାୟକଙ୍କ ମନ୍ତବ୍ୟର ଉତ୍ତର ଦେବା କ’ଣ ନିହାତି ଦରକାର? ଅବସର ନେବାର ତିନି ଦଶନ୍ଧି ପରେ ମଧ୍ୟ ଦେଶ ପାଇଁ ତାଙ୍କ ହୃଦୟ କାନ୍ଦୁଛି। ତାଙ୍କ ସମୟରେ କମ୍ ପ୍ରତିଭାବାନ୍ ଖେଳାଳିଙ୍କୁ ନେଇ ଦଳ ଯଦି ଜିତୁଥିଲା, ଏବେ ଏତେ ପ୍ରତିଭାବାନ ଖେଳାଳି ଥାଉଥାଉ ଦଳ ଏତେଥର କାହିଁକି ହାରିବ? କପିଳଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ ନ ବୁଝି ଜାଡ୍ଡୁ ମୂଢ଼ତାର ପରିଚୟ ଦେଇଛନ୍ତି। ଯେତେ ସମାଲୋଚନା ହେଲେ ମଧ୍ୟ ସଚିନ କେବେ ମୁହଁ ଖୋଲନ୍ତି ନାହିଁ। ସବୁବେଳେ ତାଙ୍କ ବ୍ୟାଟ୍ ହିଁ ଉତ୍ତର ଦେଇଥାଏ ବୋଲି ତ ସଚିନ ମହାନ। ଜାଡ୍ଡୁ ତାଙ୍କଠାରୁ ଶିଖନ୍ତୁ। ଜାଡ୍ଡୁ ମୁହଁ ଖୋଲିବା ଦ୍ବାରା କପିଳଙ୍କ ମନ୍ତବ୍ୟ ଠିକ୍ ଥିଲା ବୋଲି ନିଜେ ହିଁ ପ୍ରମାଣିତ କରିଛନ୍ତି। ବଡ଼ମାନଙ୍କୁ ସମ୍ମାନ ଦେବା ପ୍ରଥମେ ଜାଡ଼େଜା ଶିଖନ୍ତୁ। ଗତ ଶତାବ୍ଦୀର ଶ୍ରେଷ୍ଠ ଭାରତୀୟ କ୍ରିକେଟର୍ କପିଳଙ୍କ ବିରୋଧରେ ମ୍ୟାଚ୍-ଫିକ୍ସିଂ ଅଭିଯୋଗ ଏକ ଷଡ଼୍‌ଯନ୍ତ୍ର ଥିବା ସମସ୍ତେ ଜାଣନ୍ତି। ତାକୁ ଉଲ୍ଲେଖ କରି କିଛି ଲୋକ ବିତଣ୍ଡା ଯୁକ୍ତିରେ ମାତିଛନ୍ତି ବୋଲି କୁହାଯାଇଛି।

Spread the love