ଡକାୟତି ଓ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ; ଚୋରି ସାମଗ୍ରୀ ଜବତ

ଯାଜପୁର ୦୨/୧୧: ଯାଜପୁର ଜିଲ୍ଲା ବରୀ ଥାନା ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ପୋଲିସ ଚୋରି ସୁନା ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ସୂଚନା ମୁତାବକ, ଚଟୁମାରୀ ଗାଁର ବିଶ୍ୱରଞ୍ଜନ ବିଶ୍ବାଳଙ୍କ ଘରେ ଅକ୍ଟୋବର ୨୬ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା।

ଏହି ସମୟରେ ଡ଼କାୟତଙ୍କ ଆକ୍ରମଣରେ ବିଶ୍ୱରଂଜନଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ଏକ ଟିମ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଘଟଣାରେ ୮ ଅଭିଯୁକ୍ତ ସାମିଲ ଥିବା ବେଳେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତଙ୍କ ଠାରୁ ଚୋରି ସୁନା ହାର, ଚେନ, କାନ ଫୁଲ, ମୁଦି, ଲକେଟ ସହ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି। ଡକାୟତମାନଙ୍କ ଠାରୁ ଚୋରି ସୁନା କିଣିବା ଅଭିଯୋଗରେ ମଧ୍ୟ ଜଣେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତମାନେ ପଟ୍ଟାମୁଣ୍ଡାଇ ଓ ଡେରାବିଶ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏଥିରେ ସମ୍ପୃକ୍ତ ଅନ୍ୟ ୬ଜଣ ଶୀଘ୍ର ଗିରଫ ହେବେ ବୋଲି ଯାଜପୁର ଏସ୍ଡ଼ିପିଓ ସରୋଜ ଉପାଧ୍ୟାୟ ଜଣାଇଛନ୍ତି।

Spread the love