ବାହାଘର ଭୋଜିରେ ଅଘଟଣ: ଜେନେରେଟର ଧୂଆଁ ନେଲା ଦାଦା-ଝିଆରିଙ୍କ ଜୀବନ

ବ୍ରହ୍ମପୁର: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଦୁର୍ଗମ ସିଆଳିଲଟି ପଞ୍ଚାୟତର ବେତାରସିଂ ଗ୍ରାମରେ ବିବାହ ଭୋଜିରେ ଅଘଟଣ ଘଟିଛି। ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଭୋଜିରେ ବ୍ୟବହୃତ ହୋଇଥିବା ଜେନେରେଟର ଧୂଆଁ ଯୋଗୁଁ ଶ୍ବାସରୁଦ୍ଧ ହୋଇ ଏଭଳି ଅଘଟଣ ଘଟିଥିବା କୁହାଯାଇଛି। ମୃତକ ଦ୍ବୟ ହେଲେ ଦାଦା ଗଣେଶ ନାୟକ ଓ ତାଙ୍କ ଝିଆରି ଅମ୍ବିକା ନାୟକ ଏବଂ ଗୁରୁତର ଜଣକ ହେଲେ ଝୁମୁରୀ ନାୟକ। ଝୁମୁରୀ ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ‌ମେଡ଼ିକଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟଜଣେ ମାଧବ ନାୟକ ଗୁରୁତର ହୋଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

ସୂଚନା ପ୍ରକାରେ, ଗତକାଲି ଗ୍ରାମରେ କମଳ ନାୟକଙ୍କ ଘରେ ଏକ ବିବାହ ଭୋଜି ଚାଲିଥିଲା। ଗ୍ରାମରେ ବିଦ୍ୟୁତ ସୁବିଧା ନଥିବାରୁ ମାଧବ ନାୟକଙ୍କ ଘର ଆଗରେ ଏକ ଜେନେରେଟର ଲାଗିଥିଲା। ପରିବାର ଲୋକେ ଭୋଜି ଖାଇବା ପରେ ଗୋଟିଏ ଘରେ ମାଧବ, ପୁଅ ଗଣେଶ ଓ ଦୁଇ ନାତୁଣି ଅମ୍ବିକା ଓ ଝୁମୁରୀ ଶୋଇଥିଲେ। ହେଲେ ସକାଳୁ ଉଠିବାରୁ ବିଳମ୍ବ ହେବାରୁ ପଡ଼ୋଶୀ ଡାକ ପକାଇଥିଲେ। ବହୁ କଷ୍ଟରେ ମାଧବ ଉଠିଥିବା ବେଳେ ଅନ୍ୟମାନେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ସମସ୍ତଙ୍କୁ ସ୍ଥାନୀୟ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତର ଦାଦା ଗଣେଶ ଓ ଝିଆରି ଅମ୍ବିକାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଝୁମୁରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।

Spread the love