ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୨ଟି ଗେଟ୍‌

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୨ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରୁ ଗୋଟିଏ ଲେଖାଏଁ ଗେଟ୍‌ ଖୋଲାଯାଇଥିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।

ଆଜି ଅପରାହ୍‌ଣ ୩ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୨୩ ଫୁଟ୍‌ ଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୭୩,୩୦୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଅପରପକ୍ଷେ ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୫,୧୮୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୩୦,୮୩୦ କ୍ୟୁସେକ୍ ଓ ୨ଟି ଗେଟ୍‌ ଦେଇ ଜଳ ମହାନଦୀରେ ଛଡ଼ାଯାଇଛି। ଚାଷ ପାଇଁ ୩୯୮୭ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୩୨୫୫ କ୍ୟୁସେକ୍‌ ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକୁ ୨୫୭ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି। ମହାନଦୀର ବେଲଗାଓଁଠାରେ ୧୫,୨୦୦ କ୍ୟୁସେକ୍‌, ପର୍ଥଲାଠାରେ ୪୭,୬୭୨ କ୍ୟୁସେକ୍, ଖଇରମାଲରେ ୬୨,୦୦୦ କ୍ୟୁସେକ୍, ବରମୂଳଠାରେ ୭୧,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀଠାରେ ୮୦,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।

Spread the love