ଚର୍ଚ୍ଚାରେ ପ୍ରଭୁ ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ

ଜାନୁଆରୀ ୨୨ରେ ଭଗବାନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାପୂର୍ବରୁ ଦୁଇ ଜଣ ମୁସଲମାନ ମହିଳା ନଜନିନ୍ ଅନସାରୀ ଓ ନଜମା ପରଭିନ୍ ଗେରୁଆ ପୋଷାକ ପିନ୍ଧି ପତାକା ଧରି ଅଯୋଧ୍ୟାରୁ ‘ରାମଜ୍ୟୋତି’ ଆଣିବାକୁ ଆସିଛନ୍ତି । ଗତକାଲିଠୁ ସେମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କାଶୀର ପାତାଳପୁରୀ ମଠର ମହନ୍ତ ବାଲକ ଦାସ ଏବଂ ଦୋମରାଜ ଓମ୍ ଚୌଧୁରୀ ଏହି ଦୁଇ ମୁସଲିମ ଭକ୍ତଙ୍କୁ ପତାକା ଦେଇ ତାଙ୍କ ଯାତ୍ରାର ଶୁଭାରମ୍ଭ କରିିଥିଲେ ।ଆଜି ଅଯୋଧ୍ୟାରେ ମହନ୍ତ ଶମ୍ଭୁ ଦେବଚାର୍ଯ୍ୟଙ୍କଠାରୁ ରାମଜ୍ୟୋତି ଗ୍ରହଣ କରି କାଶୀ ଫେରିବାର ସୂଚନା ରହିଛି । ଏଥିସହ ଅଯୋଧ୍ୟାର ସରୟୁ ନଦୀର ପବିତ୍ର ପାଣି ଏବଂ ଅଯୋଧ୍ୟା ମାଟିକୁ ଦୁଇ ଜଣ ସାଙ୍ଗରେ କାଶୀକୁ ଆଣିବେ । ପ୍ରାଣ ପ୍ରତିଷ୍ଠାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୧ ତାରିଖରୁ ଏମାନେ ରାମଜ୍ୟୋତି ବଂଟିବେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ ଯେ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସି ପ୍ରତି ଘରେ ଦୀପାବଳି ପାଳନ କରାଯାଉ । ତେଣୁ ରାମଜ୍ୟୋତି ଏବଂ ସରୟୁ ନଦୀର ପାଣିକୁ ବିଭିନ୍ନ ସ୍ଥାନରେ ବାଣ୍ଟିିିବାକୁ ଏହି ଦୁଇ ଜଣ ନିଷ୍ପତ୍ତି ନେଇଛନ୍ତି ।

ନଜନିନ୍ ଅନସାରୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି । ସେ ରାମଚରିତ ମାନସ ଏବଂ ହନୁମାନ ଚାଳିସାକୁ ଉର୍ଦ୍ଦୁରେ ଅନୁବାଦ କରିଛନ୍ତି । ସୌହାର୍ଦ୍ଦ୍ୟ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ଶିକ୍ଷକ ହେଉଛନ୍ତି ପାତାଳପୁରୀ ମଠର ମହନ୍ତ ବାଲକ ଦାସ । ଯିଏକି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିପରି ଅନ୍ୟ ଜଣେ ହେଉଛନ୍ତି, ନଜମା ପରଭିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଏଚୟୁରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ଗତ ୧୭ ବର୍ଷ ଧରି ସେ ରାମ ଭକ୍ତିରେ ନିଜକୁ ଉତ୍ସର୍ଗୀ କରିଛନ୍ତି । ବାରାଣସୀରେ ଥିବା ହିନ୍ଦୁ-ମୁସଲମାନ ଡାଏଲଗ ସେଣ୍ଟର ଜରିଆରେ ସେ ସାରା ଦେଶରେ ମୁସଲମାନ ଓ ହିନ୍ଦୁଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏହି ଦୁଇ ମହିଳା ତିନି ତଲାକ୍ ବିରୋଧରେ ନିଜର ମତାମତ ରଖି ଚର୍ଚ୍ଚାକୁ ଆସିଥିଲେ ।

Spread the love