ପୁଷ୍ପଲତା, ପୁଷ୍ପାଙ୍ଗିନୀଙ୍କୁ ଜାଲରେ ପକାଇଲା ଭିଜିଲାନ୍ସ

ବଲାଙ୍ଗୀର/ବୌଦ୍ଧ: ମହିଳା ସଶକ୍ତୀକରଣକୁ ନେଇ ରାଜ୍ୟ ସରକାର ଡେଙ୍ଗୁରା ବଜାଉଥିବା ବେଳେ ଅଧିକାରୀମାନେ ଲାଞ୍ଚରେ ବୁଡ଼ି ରହୁଥିବା ଦୃଷ୍ଟିଗୋଚର ହେଉଛି। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଶୁକ୍ରବାର ୨ ଜଣ ମହିଳା ଅଧିକାରୀଙ୍କୁ ଜାଲରେ ପକାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲାଙ୍ଗୀର ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର୍‌ କୋଡିନେଟର୍‌ ପୁଷ୍ପାଙ୍ଗିନୀ ଯୋଶୀ। ଅନ୍ୟ ଅଧିକାରୀ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।

ୟୁଟିଲାଇଜେସନ୍‌ ସାର୍ଟିଫିକେଟ୍‌ ଆଡ୍‌ଜେଷ୍ଟମେଣ୍ଟ ଓ କ୍ଲିଅରେନ୍ସ ସାର୍ଟିଫିକେଟ୍‌ ଇସ୍ୟୁ ପାଇଁ ସୋଲବନ୍ଧ ସ୍କୁଲର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ହଷ୍ଟେଲ୍‌ ଇନ୍‌ଚାର୍ଜ ମିତ୍ରଭାନୁ ମାଝୀଙ୍କୁ ଶ୍ରୀମତୀ ଯୋଶୀ  ୩୧ ହଜାର ଟଙ୍କା ଦାବି କରିଥିଲେ। ଏ ସଂପର୍କରେ ଶ୍ରୀ ମାଝିଙ୍କ ଅଭିଯୋଗକ୍ରମେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟରେ କେସ ନମ୍ବର ୨୧ ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ପ୍ରସ୍ତୁତି ସହିତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ  ଜେଣ୍ଡର୍‌ କୋଡିନେଟର୍‌ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରି ତାଙ୍କ ଠାରୁ କେମିକାଲ ବୋଳା ୩୧ ହଜାର ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଶ୍ରୀମତୀ ଯୋଶୀଙ୍କ ଅଫିସ ଘର ସମେତ ୩ ଗୋଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କହାଯାଇଛି।

ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ଫୁଲବାଣୀର ଶରତ ବେହେରା ହରଭଙ୍ଗାରେ ମହାନଦୀ ବାଲିଘାଟ ଠିକାରେ ନେଇଛନ୍ତି। ତାଙ୍କ କିଛି ବାଲି ଭର୍ତ୍ତି ହାଇୱା ଆଇଆଇସି ରାଉତରାୟ ଆଣି ଥାନାରେ ରଖିଥିଲେ। ଛାଡିବା ପାଇଁ ଏକ ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିଲା। ଏହାପରେ ଶ୍ରୀ ବେହେରା ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଶୁକ୍ରବାର ଟଙ୍କା ନେବା ବେଳେ ଧରା ପଡ଼ିଛନ୍ତି। ଚଢ଼ାଉରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ସାମିଲ ଥିଲେ।

Spread the love