ୟୁକ୍ରେନକୁ ଦୁଇଭାଗ କରିବା ଯୋଜନାରେ ରୁଷ୍‌

କିଭ୍‍: ଯୁଦ୍ଧକୁ ୩୨ ଦିନ ଅତିବାହିତ ହୋଇଥିଲେ ମଧ୍ୟ ରୁଷ୍‍ ୟୁକ୍ରେନ୍‍ର କୌଣସି ଗୋଟିଏ ବଡ ସହରକୁ ସମ୍ପୂର୍ଣ୍ଣ ଭାବରେ ଦଖଲ କରିବାରେ ବିଫଳ ହୋଇଛି। କିନ୍ତୁ ରୁଷ୍‍ ୟୁକ୍ରେନ୍‍କୁ ଦୁଇଭାଗରେ ବିଭାଜିତ କରିବାକୁ ଚାହୁଛନ୍ତି। ତେବେ ମସ୍କୋ ପକ୍ଷରୁ କୁହାଯାଇଛି ୟୁକ୍ରେନ୍‍ ଉପରେ ଏହାର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରଥମ ପର୍ଯ୍ୟାୟ ଲକ୍ଷ୍ୟ ହାସଲ ହୋଇସାରିଛି।ଇତିମଧ୍ୟରେ ଜାପାନର ତିନିଟି ପ୍ରମୁଖ ବ୍ୟାଙ୍କ ରୁଷ୍‍ର ଅଗ୍ରଣୀ ବ୍ୟାଙ୍କ ସହିତ ଡଲାରରେ କାରବାର ବନ୍ଦ କରିଦେଇଛନ୍ତି। ଜାପାନର ଏମୟୁଏଫ୍‍ଜି ବ୍ୟାଙ୍କ, ମିଜୁହୋ ବ୍ୟାଙ୍କ ଓ ସୁମିତୋମୋ ମିତ୍‍ସୁଇ ବ୍ୟାଙ୍କିଙ୍ଗ କର୍ପୋରେସନ ଏଭଳି ପଦକ୍ଷେପ ନେଇଛନ୍ତି। ରୁଷ୍‍ ପକ୍ଷରୁ ୟୁକ୍ରେନ୍‍ର ପଶ୍ଚିମକୁ ଥିବା ସହର ଲବିବ୍‍ ଉପରେ ହାଇ ପ୍ରିସିସନ୍‍ କ୍ରୁଜ୍‍ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିବା ରୁଷ୍‍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। ଲବିବ୍‍ରେ ବିମାନ ବିଧ୍ୱଂସୀ ବ୍ୟବସ୍ଥା ମରାମତି ସ୍ଥଳ, ରାଡାର ଷ୍ଟେସନ ଏବଂ ଟ୍ୟାଙ୍କ ଓ କ୍ଷେପଣାସ୍ତ୍ର ମହଜୁଦ ସ୍ଥଳକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ରୁଷ୍ କ୍ରୁଜ୍ କ୍ଷେପଣାସ୍ତ୍ର ମାଡରେ ଲବିବ୍‌ର ଏକ ତୈଳ ବିଶୋଧନାଗାର ସମ୍ପୂର୍ଣ୍ଣ ଜଳିଯାଇଛି।

Spread the love