ମାଟ୍ରିକ୍‌ ଖାତା ଗାଏବ : କେନ୍ଦ୍ର ଅଧୀକ୍ଷକ, ଉପଅଧୀକ୍ଷକ ନିଲମ୍ବିତ

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡ଼ିଆସ୍ଥିତ ଏସଏସଡି ହାଇସ୍କୁଲରୁ ମାଟ୍ରିକ ଉତ୍ତରଖାତା ଗାଏବ ଘଟଣାକୁ ଦୁଇ ଦିନରୁ ଊର୍ଧ୍ବ ସମୟ ବିତିଗଲାଣି। ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଘଟଣାର ଛାନ୍‌ଭିନ୍ ମଧ୍ୟ ଚାଲିଛି। କିନ୍ତୁ କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ, କାର୍ଯ୍ୟାନୁଷ୍ଠାନ ସ୍ବରୂପ ପରୀକ୍ଷାକେନ୍ଦ୍ରର ଅଧୀକ୍ଷକ ଓ ଉପଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ, ଗତ ଶନିବାର ଗଣିତ ପରୀକ୍ଷା ସମୟରେ ଏହି ଘଟଣା ଘଟିଥିଲା। ଘଟଣା ପରେ ପରେ ବିଇଓ ଗଂଗାଧର ପଟନାୟକ ଓଏମଆର ସିଟ ହଜିବା ନେଇ ପଡିଆ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତି କରି ପୁଲିସ ଓଡ଼ିଶା ପରୀକ୍ଷା ପରିଚାଳନା ଧାନା ଆରଡବ୍ଲୁ ସେକ୍ସନ 9 ଅନୁଯାୟୀ ଧାରା 379/120(ଖ) ଆଇପିସିରେ ତଦନ୍ତ ଚଳାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରି ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା କରୁଛି।

ସେହିପରି ଥାନାରେ କେନ୍ଦ୍ର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର, ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ବାଇଁ, ନୋଡାଲ ଅଧିକାରୀ ସନ୍ଦୀପ କୁମାର ସାହୁ, ଗଠନପାଲ୍ଲୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରାଙ୍କ ସହ ପିଅନ ଇସପେରିଆ ସେଠୀଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି। ଏଭଳି ସାଂଘାତିକ ତ୍ରୁଟି ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ଏହି କେନ୍ଦ୍ରର ଅଧୀକ୍ଷକ ଶ୍ରୀ ପାତ୍ର ଏବଂ ଉପଅଧୀକ୍ଷକ ଶ୍ରୀ ସ୍ବାଇଁଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ପରୀକ୍ଷା ଚାଲିଥିବା ସମୟରେ ଅନ୍ୟ ବିଦ୍ୟାଳୟର କିଛି ଶିକ୍ଷକ ପରୀକ୍ଷା କେନ୍ଦ୍ରରେ ପଶିଥିଲେ। କୌଣସି କାରଣବଶତଃ ସେମାନଙ୍କ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ଯଦି ଉକ୍ତ ଶିକ୍ଷକମାନଙ୍କୁ ଧରି ପଚରାଉଚୁରା କରାଯିବ ତାହାହେଲେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ସୁରକ୍ଷା ଘେରରେ ଥିବା ପରୀକ୍ଷା କେନ୍ଦ୍ରରୁ କେମିତି ଉତ୍ତରଖାତା ଗୁଡ଼ିକ ଗାଏବ ହୋଇଗଲା ତାହା ସମସ୍ତଙ୍କୁ ଚକିତ କରିଛି। ସମୟ ଗଡ଼ି ଚାଲିଥିବାରୁ ସଂଶୟ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ରହିଛନ୍ତି। ପୁଲିସ ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଭଳି ପଦକ୍ଷେପ ନିଆଯିବ, ତାହାକୁ ସେମାନେ ଅପେକ୍ଷା କରିଛନ୍ତି।

Spread the love