୨ ମହିଳା ଉଲଗ୍ନ ଘଟଣା: ଜାତୀୟ ମାନବାଧିକାର ଆୟୋଗରେ ମାମଲା, ୪ ସପ୍ତାହରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ
ସୁନ୍ଦରଗଡ଼: ଗତ ୬ ତାରିଖରେ ସୁନ୍ଦରଗଡ଼ରେ ଉଲଗ୍ନ ଅବସ୍ଥାରେ ମା’ଓ ଝିଅ ଉଦ୍ଧାର ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଅଭାବନୀୟ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ। ମାନବାଧିକାରକର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅର୍ଜିକୁ ଗ୍ରହଣ କରି ଆୟୋଗ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ରିପୋର୍ଟ ତଲବ କରିଛନ୍ତି। ଘଟଣାରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୁକ୍ତ।
ଏ ସମ୍ପର୍କରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ପୁଲିସ ଘଟଣାର ତଦନ୍ତ କରୁଛି, ଠିକ୍ ସମୟରେ ରିପୋର୍ଟ ଦିଆଯିବ’। ଦୁଇ ପୀଡ଼ିତାଙ୍କୁ ଛତିଶଗଡ଼ ତୁମଲା ଥାନା ଅଞ୍ଚଳରେ ଥିବା ସେମାନଙ୍କ ଗାଁ ଖାରିବାହାଲରେ ଛାଡ଼ି ସୁନ୍ଦରଗଡ଼ ପୁଲିସ ନିଜ ଦାୟିତ୍ବ ଖସାଇ ଦେଇଥିବା ବେଳେ ଏବେ ଜାତୀୟ ମାନବାଧିକାର ଆୟୁକ୍ତଙ୍କ ନୋଟିସ ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି। ଗତ ୬ ତାରିଖ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତାରୁ ୨ ନିବସ୍ତ୍ର ମା’ଝିଅ ଉଦ୍ଧାର ହୋଇଥିଲେ। ସେମାନଙ୍କୁ ଆସ୍ଥାଗୃହରେ ରଖା ଯାଇଥିବା ବେଳେ କାଉନସେଲିଂ ବେଳେ ପୀଡ଼ିତା ମା’ ତାଙ୍କୁ ଓ ଝିଅକୁ ଦିଅର ଦୁଷ୍କର୍ମ କରୁଥିା କହିଥିଲେ। ଦୁଇ ପୀଡ଼ିତା ରାଜରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ପରେ ଦୁଷ୍କର୍ମ ଅଭିଯୋଗ ଆଣିବା ସାରା ରାଜ୍ୟକୁ ଆନ୍ଦୋଳିତ କରିଥିଲା। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲ୍ଲା ତୁମଲା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିବା ପରେ ପରିବାର ଲୋକଙ୍କୁ ଖୋଜି ବାହାର କରିଥିଲା ସୁନ୍ଦରଗଡ଼ ପୁଲିସ। ୯ ତାରିଖରେ ସେହି ଗାଁକୁ ଯାଇ ମହିଳାଙ୍କ ବଡ଼ ଯା’ ଓ ସାନ ଝିଅଙ୍କୁ ଆଣି ଟାଉନଥାନାରେ ବୟାନ ରେକର୍ଡ କରିଥିଲା। ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିବା ପରେ ୮ ବର୍ଷ ହେଲା ସେମାନଙ୍କ ମାନସିକ ବିକୃତ ହୋଇ ଯାଇଥିବା ଓ ମିଥୁନ ରକ୍ତସମ୍ପର୍କୀୟ ଦିଅର ନୁହନ୍ତି, ପଡ଼ୋଶୀ ବୋଲି କହିବା ସହ ଦୁଷ୍କର୍ମ ସମ୍ପର୍କରେ ସେମାନେ ଜାଣି ନଥିବା କହିଥିଲେ।
ଅନ୍ୟପଟେ ମନସ୍ତତ୍ତ୍ବବିତଙ୍କ ରିପୋର୍ଟରେ ମା’,ଝିଅ ମାନସିକ ରୋଗୀ ଓ ୩ ଦିନ ଧରି ସେମାନେ ମୁହଁ ଖୋଲୁ ନଥିବା ଦର୍ଶାଇଥିଲେ। ଏହା ପରେ ସେହି ୯ ତାରିଖ ରାତିରେ ବଡ଼ ଯାଆଙ୍କ ସ୍ବାମୀ ଓ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ଆସିଥିଲା ପୁଲିସ। ୧୦ ତାରିଖ ସକାଳେ ଟାଉନ ଥାନା ପୁଲିସ ସେମାନଙ୍କ ସହ ମା’ ଓ ଝିଅଙ୍କୁ ନେଇ ଗାଁରେ ପହଞ୍ଚାଇଥିଲା। ସେଠାରେ ଦୁଇ ମହିଳା ଓ ପରିବାର ସଦସ୍ୟମାନଙ୍କ ବୟାନ ରେକର୍ଡ କରିଥିଲା ତୁମଲା ଥାନା ପୁଲିସ। ଦୁଷ୍କର୍ମ ଅଭିଯୋଗକୁ ପରିବାର ଲୋକେ ଅସ୍ବୀକାର କରିଥିଲେ। ପୀଡ଼ିତାଙ୍କ ସ୍ବାମୀ ମରିଯିବା ପରେ ମହିଳା ଓ ତାଙ୍କ ଝିଅର ମାନସିକ ବିକୃତି ଘଟିଥିଲା ବୋଲି କହିଥିଲେ। ତେବେ ୪ ଦିନ ତଳେ ଘରୁ ଚାଲି ଯାଇଥିଲେ ମଧ୍ୟ କେଉଁସ୍ଥିତିରେ ସେମାନେ ସୁନ୍ଦରଗଡ଼ ସହରରେ ଉଲଗ୍ନ ହେଲେ ସେ ସମ୍ପର୍କରେ ପରିବାର ଲୋକେ କିଛି କହିପାରି ନଥିଲେ। ଅନ୍ୟପଟେ ସୁନ୍ଦରଗଡ଼ ପୁଲିସ ମଧ୍ୟ ୨ ମହିଳାଙ୍କ ଉଲଗ୍ନ ଘଟଣାର ତଦନ୍ତ ନକରି ସେମାନଙ୍କୁ ତରତର ହୋଇ ଗାଁକୁ ପଠାଇଦେଇଥିଲା।