ଗଣେଶ ଦର୍ଶନ ପାଇଁ ପହଁଚୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୦୨।୦୯: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲା ପରେ ଏକନାଥ ସିନ୍ଦେ ଏବେ ନୂଆ ମିଶନ୍ ମୋଡରେ ଦେଖିବାକୁ ମିଳୁଛନ୍ତି । ସେ ଶିବସେନାର ନେତୃତ୍ୱ ନିଜ ହାତକୁ ନେବାରେ ଲାଗିପଡିଛନ୍ତି । ଏହାସହ ଅନ୍ୟ ଦଳର ନେତାଙ୍କୁ ମଧ୍ୟ ଭେଟୁଛନ୍ତି । ଗଣେଶ ପୂଜା ସମୟରେ ସେ ଉଦ୍ଧବ ଠାକରେଙ୍କ ନିକଟତମ କୁହାଯାଉଥିବା କିଛି ନେତାଙ୍କୁ ସାକ୍ଷାତ କରିଛନ୍ତି ।   ସିନ୍ଦେ ସର୍ବପ୍ରଥମେ ଉଦ୍ଧବଙ୍କ ସମ୍ପର୍କୀୟ ଭାଇ ଓ ମହାରାଷ୍ଟ୍ର ନବ ନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେଙ୍କ ବାସଭବନ ଶିବୀତର୍ଥ ଗସ୍ତ କରିଥିଲେ । ଏଠାରେ ଉଭୟ ନେତା ଆଲୋଚନା କରିଥିଲେ । ତେବେ ଉଭୟ ନେତା କୌଣସି ରାଜନୈତିକ ପ୍ରସଙ୍ଗରେ ଚର୍ଚ୍ଚା କରିନଥିବା କୁହାଯାଇଥିଲା । ହେଲେ ଉଭୟ ନେତାଙ୍କ  ସାକ୍ଷାତ ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି କରିପାରେ ବୋଲି ସଙ୍କେତ ଦେଉଛି ।

ଏତତ୍ ବ୍ୟତୀତ ସିନ୍ଦେ ମିଲିନ୍ଦ ନାର୍ଭେକରଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ମିଲିନ୍ଦ ଉଦ୍ଧବଙ୍କ ଖୁବ୍ ନିକଟତର ବୋଲି କୁହାଯାଏ । ତେବେ ଏହି ସାକ୍ଷାତକାର ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଗତମାସରେ ମିଲିନ୍ଦଙ୍କ ମାଆଙ୍କ ନିଧନ ହୋଇଥିଲା । ସେତେବେଳେ ମଧ୍ୟ ସିନ୍ଦେ ମିଲିନ୍ଦଙ୍କୁ ଭେଟି ତାଙ୍କ ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନାଯୋଗ୍ୟ, ସିନ୍ଦେ ଗୋଷ୍ଠୀ ବିଦ୍ରୋହ କରିବା ପରେ ପ୍ରଥମେ ଗୁଜୁରାଟର ସୁରଟ ପଳାଇଥିଲେ । ତେବେ ଉଦ୍ଧବ ସେମାନଙ୍କୁ ମନାଇବା ପାଇଁ ମିଲିନ୍ଦଙ୍କୁ ପଠାଇଥିଲେ । ସେତେବେଳେ ମିଲିନ୍ଦ ଓ ସିନ୍ଦେଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ସିନ୍ଦେ ଗୋଷ୍ଠୀ ଉଦ୍ଧବଙ୍କ କଥା ମାନିନଥିଲେ ।

Spread the love