ୟୁରୋପୀୟ ସଂଘର ସଦସ୍ୟ ହେବ ୟୁକ୍ରେନ

କିବ୍ : ୟୁରୋପୀୟ ସଂଘରେ ସାମିଲ ହେବାକୁ ୟୁକ୍ରେନର ଆବେଦନକୁ ସମର୍ଥନ କରିଛି ୟୁରୋପୀୟ କମିସନ । ୟୁକ୍ରେନ ସହ ମାଲଡୋଭାର ଆବେଦନକୁ ବି ସମର୍ଥନ କରିଛି ସଂଘ ୟୁରୋପୀୟ ସଂଘର ଏହି ସମର୍ଥନ ସଂପର୍କରେ ଏହାର କାର୍ଯ୍ୟନିର୍ବାହୀ କମିସନର ମୁଖ୍ୟ ଉର୍ସୁଲା ଭାନ ଡର ଲେୟେନ ଘୋଷଣା କରିଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବାର ୪ ଦିନ ପରେ ୟୁକ୍ରେନ ସରକାର ୟୁରୋପୀୟ ସଂଘରେ ସାମିଲ ହେବାକୁ ଆବେଦନ କରିଥିଲେ । ସେବେଠାରୁ ଏହି ଆବେଦନ ବିଚାରାଧୀନ ଥିଲା । ରୁଷ ସହ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଏହାକୁ ବିଶ୍ବର ଭୂ-ରାଜନୈତିକ କ୍ଷେତ୍ରରେ ଏକ ବଡ଼ ଘଟଣା କୁହାଯାଉଛି । କାରଣ ୟୁକ୍ରେନ ୟୁରୋପୀୟ ସଂଘର ସଦସ୍ୟ ହେବା ପରେ ଏହି ସଂଘର ସବୁ ଦେଶ ଔପଚାରିକ ଭାବେ ରୁଷର ବିରୋଧୀ ହୋଇଯିବେ ।ୟୁରୋପୀୟ ସଂଘର ଏହି ନିଷ୍ପତ୍ତିକୁ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ସ୍ବାଗତ କରିବା ସହ ଲେୟେନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତେବେ ୟୁରୋପୀୟ ସଂଘର ସଦସ୍ୟ ହେବାକୁ ୟୁକ୍ରେନକୁ ଆହୁରି କିଛି ଦିନ ଲାଗିବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ହେବାକୁ ଥିବା ୟୁରୋପୀୟ ସଂଘ ବୈଠକରେ ସଦସ୍ୟ ରାଷ୍ଟ୍ରମାନେ ୟୁକ୍ରେନର ସଦସ୍ୟତାକୁ ସମର୍ଥନ କରିବାର ସମ୍ଭାବନା ରହିଛି । ୟୁରୋପୀୟ ସଂଘର ୩ଟି ପ୍ରମୁଖ ଦେଶ ଜର୍ମାନୀ, ଫ୍ରାନ୍ସ ଓ ଇଟାଲି ପୂର୍ବରୁ ହିଁ ୟୁକ୍ରେନକୁ ସମର୍ଥନ କରିସାରିଛନ୍ତି ।

Spread the love