ଯୁଦ୍ଧ ଅପ୍‌ଡେଟ୍; ଲିଭିବ୍ ସହର ୬ ମିସାଇଲ୍ ମାଡ଼ କଲା ଋଷ

କିଭ୍: ୟୁକ୍ରେନ୍ ବିରୋଧରେ ଭୟଙ୍କର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଋଷ। ମିସାଇଲ୍ ମାଡ଼ ସାଙ୍ଗକୁ ଫସଫରସ ବୋମା ଫିଙ୍ଗୁଥିବା ୟୁକ୍ରେନ୍ ଅଭିଯୋଗ କରୁଛି। ଯୁଦ୍ଧକୁ ମାସେ ବିତିଯାଇଥିବା ବେଳେ ୟୁକ୍ରେନ୍‌ର ୨୦ରୁ ଅଧିକ ସହର ନଷ୍ଟ ହୋଇଛି। ଋଷ ହଜାର ହଜାର ସୈନିକଙ୍କର ମୃତ୍ୟୁ ହୋଇଛି।

ଯୁଦ୍ଧ ଆରମ୍ଭ ଠାରୁ ଏଯାବତ ୧୩୯ ପିଲାଙ୍କ ମୃତ୍ୟୁ ହୋଇଛି।୨୦୫ ଜଣ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ଦାବି କରିଛି। ଏପଟେ ୟୁକ୍ରେନ୍‌ର ଲିଭିବ ସହର ଉପରେ ଜୋର୍‌ଦାର ଆକ୍ରମଣ କରିବା ଆରମ୍ଭ କରିଦେଇଛି ଋଷ। ଲଗାତର ୬ଟି ମିସାଇଲ ମାଡ଼ କରିଛି ଋଷିଆ। ତେବେ ବର୍ତ୍ତମାନ ସୁଧା କୌଣସି ମୃତାହତ ହୋଇଥିବା ନେଇ ଖବର ଆସିନାହିଁ। ତେଲ ଡିପୋ ଓ ସେନା ଅସ୍ତ୍ରଶସ୍ତ୍ର ପ୍ଲାଣ୍ଟ ଉପରେ ଆକ୍ରମଣ କରିବାକୁ ଋଷ ଏହି ଆକ୍ରମଣ କରିଛି ବୋଲି ୟୁକ୍ରେନ୍ ସେନା କମାଣ୍ଡର ସୂଚନା ଦେଇଛନ୍ତି।      

ଏପଟେ ଋଷ ଉପରେ ଆଉ ଏକ ଅଭିଯୋଗ ଲଗାଇଛନ୍ତି ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଇରିନା ବିରେଶଚୁକ। ୟୁକ୍ରେନ୍‌ ସରକାରଙ୍କୁ ନଜଣାଇ ଋଷ ୪୦ ହଜାର ୟୁକ୍ରେନବାସୀଙ୍କୁ ଜୋରଜବରଦସ୍ତି କେଉଁ ଆଡ଼େ ନେଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।   

ଅନ୍ୟପଟେ ୟୁକ୍ରେନ୍‌କୁ ସିଧାସଳଖ ସହଯୋଗ ନ କରୁଥିଲେ ବି ପରୋକ୍ଷରେ ସହାୟତା ପ୍ରଦାନ କରୁଛି ଆମେରିକା। ଏବେ ଏକ ଲକ୍ଷ ୟୁକ୍ରେନ୍ ଶରଣାର୍ଥୀଙ୍କୁ ଶରଣ ଦେବାକୁ ଆମେରିକା ଘୋଷଣା କରିଛି। ଏନେଇ ରାଷ୍ଟ୍ରପତି ଜୋ ବାଇଡେନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେପଟେ ଋଷ ଉପରେ ଲଗାଇଥିବା ପ୍ରତିବନ୍ଧକ ଉଠାଇବାକୁ ସର୍ତ୍ତ ରଖିଛି ବ୍ରିଟେନ୍। ଯଦି ଋଷ ୟୁକ୍ରେନ ସୀମାରୁ ତା ସେନା ହଟାଇ ନିଏ ତେବେ ବ୍ରିଟେନ୍ ଲଗାଇଥିବା ପ୍ରତିବନ୍ଧକ ଉଠାଇ ନିଆଯିବ ବୋଲି ବ୍ରିଟେନ୍ ବୈଦେଶିକ ସଚିବ ଲିଡ୍ ଟ୍ରସ କହିଛନ୍ତି। କେବଳ ସେତିକି ନୁହେଁ, ଭବିଷ୍ୟତରେ ବି ଯେମିତି ଋଷ ୟୁକ୍ରେନ୍ ଉପରେ ଏପରି ବ୍ୟବହାର ନକରେ ସେଥିପାଇଁ ଋଷକୁ ପ୍ରତିଶ୍ରୁତ ଦେବାକୁ ପଡ଼ିବ ବୋଲି ବ୍ରିଟେନ୍ କହିଛି। ।

Spread the love